ନୂଆଦିଲ୍ଲୀ: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣାକୁ ଆମେରିକା ଭାରତ ହାତରେ ଟେକି ଦେଇଛି। ଆସନ୍ତାକାଲି ସକାଳେ ଗୁଇନ୍ଦା ଓ ତଦନ୍ତକାରୀ ଅଧିକାରୀଙ୍କ ଏକ ସ୍ୱତନ୍ତ୍ର ଟିମ୍ ସହ ସେ ଭାରତରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏକ ସ୍ୱତନ୍ତ୍ର ବିମାନ ରାଣାକୁ ନେଇ ଭାରତ ଆସୁଛି ଏବଂ ନୂଆଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ଏକ ଅଜ୍ଞାତ ସ୍ଥାନରେ ମଝିରେ କିଛି ସମୟ ଅଟକିବ ବୋଲି ସୂତ୍ରରୁ ପ୍ରକାଶ। ଆମେରିକାର ଏକ ଅଦାଲତଙ୍କ ସୁପାରିସକ୍ରମେ ଦିଲ୍ଲୀ ଓ ମୁମ୍ବାଇର ଦୁଇଟି ଜେଲରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଣା ପହଞ୍ଚିବା ପରେ ତାକୁ ରିମାଣ୍ଡରେ ନେବା ପାଇଁ ନୂଆଦିଲ୍ଲୀସ୍ଥିତ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) କୋର୍ଟରେ ହାଜର କରାଯିବ। ପରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ତାକୁ ରିମାଣ୍ଡରେ ନେବ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଏନ୍‌ଆଇଏ ଓ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ପ୍ରତ୍ୟର୍ପଣ ଅଭିଯାନର ପ୍ରତ୍ୟେକ ଦିଗକୁ ତଦାରଖ କରୁଛନ୍ତି।

Advertisment

ଦିଲ୍ଲୀ ଓ ମୁମ୍ବାଇ ଜେଲ୍‌ରେ ସୁରକ୍ଷା କଡ଼ାକଡ଼ି
ଦିଲ୍ଲୀ ଏନ୍‌ଆଇଏ କୋର୍ଟରେ ହାଜର କରାଯିବ

ପାକିସ୍ତାନୀ ବଂଶୋଦ୍ଭବ କାନାଡାର ବ୍ୟବସାୟୀ ରାଣା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା (ଏଲ୍‌ଇଟି)ର ସକ୍ରିୟ କାର୍ଯ୍ୟକର୍ତ୍ତା। ମୁମ୍ବାଇରେ ପ୍ରମୁଖ ଟାର୍ଗେଟ୍‌ଗୁଡ଼ିକର ଯାଞ୍ଚ କରିଥିବା ପାକିସ୍ତାନୀ-ଆମେରିକୀୟ ଡେଭିଡ୍ କୋଲମ୍ୟାନ୍ ହେଡଲି (ଓରଫ ଦାଉଦ ଗିଲାନି) ପାଇଁ ଯାତ୍ରା କାଗଜପତ୍ର ଯୋଗାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ପରେ ପାକିସ୍ତାନର ଇଣ୍ଟର୍‌ ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ)ର ଲଜିଷ୍ଟିକ୍ ଓ ରଣନୈତିକ ସମର୍ଥନରେ ଲସ୍କର ଆତଙ୍କବାଦୀମାନେ ଏହି ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିଥିଲେ।
ସୂଚନା ଅନୁଯାୟୀ, ରାଣା ୨୦୦୮ ନଭେମ୍ବର ୧୧ରୁ ୨୧ ମଧ୍ୟରେ ଦୁବାଇ ଦେଇ ମୁମ୍ବାଇ ଯାଇଥିଲା। ପୱଇର ହୋଟେଲ ରେନେସାରେ ରହୁଥିବା ବେଳେ ସେ ଆକ୍ରମଣ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଥିଲା। ଏହାର ମାତ୍ର ୫ ଦିନ ପରେ ଅର୍ଥାତ୍ ନଭେମ୍ବର ୨୬ ତାରିଖରେ ସମନ୍ବିତ ଆକ୍ରମଣ ହୋଇଥିଲା, ଯେଉଁଥିରେ ୧୭୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଭୟାନକ ଆକ୍ରମଣ ପାଇଁ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ପାଇଥିବା ଲସ୍କର୍‌-ଏ-ତୋଇବାର କେବଳ ଜଣେ ଆତଙ୍କବାଦୀ ଅଜମଲ କସାବକୁ ଅଧିକାରୀମାନେ ଜୀବନ୍ତ ଧରିଥିଲେ। ୨୦୨୦ ଜୁନ୍‌ରେ ରାଣାକୁ ପ୍ରତ୍ୟର୍ପଣ ପାଇଁ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଫେବ୍ରୁଆରିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଣାର ପ୍ରତ୍ୟର୍ପଣକୁ ନିଶ୍ଚିତ କରିଥିଲେ। ନିକଟରେ ଆମେରିକାର ସୁପ୍ରିମ୍‌କୋର୍ଟ ରାଣାକୁ ଭାରତ ପ୍ରତ୍ୟର୍ପଣ ଉପରେ ରୋକ୍ ଲଗାଇବା ପାଇଁ କରାଯାଇଥିବା ଆବେଦନକୁ ଖାରଜ କରି ଦେଇଥିଲେ। ୬୪ ବର୍ଷୀୟ ଏହି ବ୍ୟବସାୟୀ ଏବେ ଯାଏଁ ଲସ୍ଏଞ୍ଜେଲସର ମେଟ୍ରୋପଲିଟାନ ଡିଟେନ୍‌ସନ୍ ସେଣ୍ଟରରେ ରହୁଥିଲା