ମୁମ୍ବାଇ: ବିଳାସ ଓ ଇତିହାସର ପ୍ରତୀକ ତାଜ୍ ପ୍ୟାଲେସ ହୋଟେଲକୁ ରତନ ଟାଟାଙ୍କ ଜେଜେବାପା ଜାମସେଦଜୀ ଟାଟା ନିର୍ମାଣ କରିଥିଲେ। ଦୁଃଖର କଥା, ୨୦୦୮ ମସିହାରେ ଏହା ମୁମ୍ବାଇରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲା, ଯେଉଁଥିରେ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ମୁମ୍ବାଇ ଆକ୍ରମଣର ଶିକାର ହୋଇଥିବା ୫ଟି ସ୍ଥାନ ମଧ୍ୟରୁ ଏହା ଅନ୍ୟତମ ଥିଲା।
ନଭେମ୍ବର ୨୬, ୨୦୦୮ରେ ୧୦ ଜଣ ପାକିସ୍ତାନୀ ଆତଙ୍କବାଦୀ ତାଜ୍ ପ୍ୟାଲେସ ହୋଟେଲ, ଓବରୟ-ଟ୍ରାଇଡେଣ୍ଟ ହୋଟେଲ, ଚାବାଦ ହାଉସ, ଲିଓପୋଲ୍ଡ କାଫେ ଓ ଛତ୍ରପତି ଶିବାଜୀ ଟର୍ମିନସ ଉପରେ ଆକ୍ରମଣ କରିଥିଲେ। ବନ୍ଧୁକଧାରୀମାନେ ତାଜ ପ୍ୟାଲେସ ହୋଟେଲ ଭିତରେ ନଷ୍ଟଭ୍ରଷ୍ଟ କରିଥିବାରୁ ୪୦୦ କୋଟିରୁ ଅଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା। ତେବେ ହୋଟେଲ କର୍ମଚାରୀମାନେ ଅସାଧାରଣ ସାହସିକତା ପ୍ରଦର୍ଶନ କରି ଅତିଥିଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଥିଲେ। ଅନେକ କର୍ମଚାରୀ ସେଠାରେ ଅତିଥିମାନଙ୍କୁ ଟେବୁଲ ଓ ଖଟ ତଳେ ଲୁଚିରହିବାକୁ ସୁଯୋଗ ଦେଇ ନିଜେ ବିପଦକୁ ବରଣ କରିଥିଲେ।
ପରବର୍ତ୍ତୀ ସମୟରେ ରତନ ଟାଟା ତାଙ୍କ କର୍ମଚାରୀଙ୍କ ପାଇଁ ସମର୍ଥନର ସ୍ତମ୍ଭ ପାଲଟିଥିଲେ। ସେ ଡାକ୍ତରଖାନାରେ ଆହତମାନଙ୍କୁ ଭେଟିବା ସହ ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ ସାନ୍ତ୍ୱନା ଦେଇଥିଲେ। ଦୁଇ ସପ୍ତାହ ମଧ୍ୟରେ ତାଜ୍ ପବ୍ଲିକ ସର୍ଭିସ ୱେଲଫେୟାର ଟ୍ରଷ୍ଟ ପ୍ରତିଷ୍ଠା କରାଯାଇ ଆକ୍ରମଣରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରକୁ ୩୬ ଲକ୍ଷରୁ ୮୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସେହି ପରିବାରଗୁଡ଼ିକ ମଧ୍ୟ ସେମାନଙ୍କ ପ୍ରିୟଜନଙ୍କ ଅବସର ତାରିଖ ପର୍ଯ୍ୟନ୍ତ ପୂର୍ଣ୍ଣ ଦରମା ପାଇଥିଲେ ଏବଂ ଟାଟା ସୁନିଶ୍ଚିତ କରିଥିଲେ ଯେ ସେମାନଙ୍କ ପିଲାମାନେ ଯେପରି ଗୁଣାତ୍ମକ ଶିକ୍ଷା ପାଇବେ।
ଆକ୍ରମଣରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲେ ମଧ୍ୟ ଟାଟା ମୁମ୍ବାଇର ସ୍ଥିରତା ଓ ଏକତା ପାଇଁ ଗର୍ବ ପ୍ରକାଶ କରିଛନ୍ତି। ଆକ୍ରମଣର ୧୨ଶ ବାର୍ଷିକୀ ଅବସରରେ ସେ ଇନଷ୍ଟାଗ୍ରାମରେ ଲେଖିଥିଲେ, ଘଟିଥିବା ଅନାବଶ୍ୟକ ଧ୍ୱଂସ... କେବେ ବି ଭୁଲିହେବ ନାହିଁ। କିନ୍ତୁ ସବୁଠାରୁ ସ୍ମରଣୀୟ କଥା ହେଉଛି ବିଭିନ୍ନ ବର୍ଗର ଜନସାଧାରଣ ରହୁଥିବା ମୁମ୍ବାଇ କିପରି ଏକତ୍ବ ପ୍ରଦର୍ଶନ କଲା। ସେ ଦିନ ଦିଆଯାଇଥିବା ବଳିଦାନ ଏବଂ ପ୍ରତିକୂଳ ପରିସ୍ଥିତିରେ ଦେଖାଯାଇଥିବା ଦୟାକୁ ସମ୍ମାନ ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବର୍ଷକ ପରେ ଏହି ଆକ୍ରମଣ ବିଷୟରେ ସେ ଉଲ୍ଲେଖ କରିଥିଲେ, ଆମେ ଯେଉଁ ଆଘାତ ସହିଥିଲୁ... ତାହା କେବେ ବି ପୁନରୁଦ୍ଧାର ହୋଇପାରିବ ନାହିଁ। ତଥାପି ଆକ୍ରମଣର ସ୍ମୃତିକୁ ଆମର ଶକ୍ତିର ଉତ୍ସ ହେବାକୁ ଦେବା ଉଚିତ।
ଟାଟାଙ୍କ ମରଶରୀର ଗାଡ଼ି ଆଗରେ ବାଇକରେ ଗଲେ ଶାନ୍ତନୁ ନାଇଡ଼ୁ
ନୂଆଦିଲ୍ଲୀ: ରତନ ଟାଟାଙ୍କ ପରଲୋକ ଗତକାଲି ହେବାପରେ ଆଜି ତାଙ୍କର ଅନ୍ତିମ ସଂସ୍କାର ହୋଇଛି। ରତନ ଟାଟାଙ୍କୁ ଓର୍ଲିସ୍ଥିତ ଶ୍ମଶାନସ୍ଥଳକୁ ସୁସଜ୍ଜିତ ଗାଡ଼ିରେ ନିଆଯିବା ସମୟରେ ଆଗରେ ଏକ ବାଇକ୍ରେ ଯାତ୍ରା କରିଥିଲେ ତାଙ୍କର କନିଷ୍ଠ ସହଯୋଗୀ ଶାନ୍ତନୁ ନାଇଡ଼ୁ। ସାମାଜିକ ଗଣମାଧ୍ୟମରେ ୩୦ ବର୍ଷୀୟ ଶାନ୍ତନୁ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି। ଶାନ୍ତନୁ ‘ମୋଟୋପଜ୍’ ନାମରେ ଏକ ଛୋଟ ବ୍ୟବସାୟ ଆରମ୍ଭ କରିଥିଲେ। ସେହି ବ୍ୟବସାୟରେ ଶାନ୍ତନୁ ବୁଲା କୁକୁରଙ୍କ ପାଇଁ ଆଲୋକ ପ୍ରତିଫଳନ ହେଉଥିବା କଲାର୍ ପ୍ରସ୍ତୁତ କରୁଥିଲେ। ତାଙ୍କର ଲକ୍ଷ୍ୟ ଥିଲା ମୋଟରଯାନ ଗୁଡ଼ିକ ରାସ୍ତାରେ ଯିବା ସମୟରେ ସେହି କଲାର ଦ୍ବାରା ଆଲୋକ ପ୍ରତିଫଳିତ ହେବ। ଏହାଦ୍ବାରା ସେମାନଙ୍କ ଉପରେ ଗାଡ଼ି ଚଢ଼ିବ ନାହିଁ କିମ୍ବା ସେମାନଙ୍କ ଜୀବନ ଜୀବନାହିଁ। ୨୦୧୪ ମସିହାରେ ଶାନ୍ତନୁ (ଟାଟାରେ ପଞ୍ଚମ ପିଢ଼ି କର୍ମଚାରୀ) ରତନ ଟାଟାଙ୍କୁ ଏ ସଂପର୍କରେ ଏକ ଚିଠି ଲେଖିଥିଲେ। ଶାନ୍ତନୁଙ୍କ ଚିଠିର ଉତ୍ତର ରତନ ଟାଟା ଦୁଇମାସ ପରେ ଦେଇଥିଲେ। ତାଙ୍କୁ ମୁମ୍ବାଇ ଆସିବାକୁ କହିଥିଲେ। ଶାନ୍ତନୁ ଆସିବା ପରେ ରତନ ତାଙ୍କୁ ଟାଟା ଗ୍ରୁପ୍ରେ କାମ କରିବା ପାଇଁ କହିଥିଲେ। ଏଥିସହ ସେ ନାଇଡ଼ୁଙ୍କୁ ଆମେରିକାର କର୍ନେଲ ବିଶ୍ବବିଦ୍ୟାଳୟକୁ ଏମ୍ବିଏ ପଢ଼ିବା ପାଇଁ ପଠାଇଥିଲେ। ସେଠାରେ ପାଠପଢ଼ି ଭାରତ ଫେରି ଟାଟା ଟ୍ରଷ୍ଟ ପାଇଁ କାମ କରିବେ ବୋଲି ରତନ ଟାଟାଙ୍କୁ ନାଇଡ଼ୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ରକ୍ଷା କରି ଶାନ୍ତନୁ ଟାଟାଙ୍କ ସହାୟକ ଭାବେ କାମ କରି ଆସୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/eSkq05kXR78fUAJXkrO0.jpg)