କାନପୁର : ଉତ୍ତରପ୍ରଦେଶର କାନପୁର ନିକଟରେ ଶନିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୧ ଜଣ ଶିଶୁ ଏବଂ ୧୧ ଜଣ ମହିଳା ରହିଥିବା ଜଣାପଡ଼ିଛି। ନିକଟସ୍ଥ ଚନ୍ଦ୍ରିକା ଦେବୀ ମନ୍ଦିରରୁ ଦର୍ଶନ କରି ଶ୍ରଦ୍ଧାଳୁମାନେ ଏକ ଟ୍ରାକ୍ଟର ଟ୍ରଲିରେ ବସି ଫେରୁଥିବା ବେଳେ ଏହା ନିୟନ୍ତ୍ରଣ ହରାଇ ଏକ ପୋଖରୀ ଭିତରକୁ ଖସି ପଡ଼ିଥିଲା। ଦୁର୍ଘଟଣା ସମୟରେ ଟ୍ରଲିରେ ୬୦ରୁ ଅଧିକ ଶ୍ରଦ୍ଧାଳୁ ଥିଲେ। ୨୨ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଆଉ ୫ ଜଣଙ୍କ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ୯ ଜଣ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଏବଂ ସେମାନଙ୍କୁ କାନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

publive-image

ରାଷ୍ଟ୍ରପତି‌ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଶୋକବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୃତାହତଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ସହାୟତା ଘୋଷଣା କରାଯାଇଛି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ।

ସେହିଭଳି ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଆହତମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ତତ୍କାଳ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବାରୁ ଅନ୍ୟ ଶ୍ରଦ୍ଧାଳୁଙ୍କ ଜୀବନ ରକ୍ଷା ପାଇଯାଇଛି।