ଆଫଗାନିସ୍ତାନ : ସଭା ଚାଲିଥିବାବେଳେ ଆତଙ୍କବାଦୀ ଆକ୍ରମଣ, ୨୭ ନିହତ, ଟିଭିରେ ଲାଇଭ୍ ଦେଖିଲେ ଲୋକେ

କାବୁଲ : ଆମେରିକା ଓ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ସତ୍ତ୍ୱେ ଆଫଗାନିସ୍ତାନରେ ରକ୍ତପାତ ଜାରି ରହିଛି । ଶୁକ୍ରବାରଦିନ ରାଜଧାନୀ କାବୁଲରେ ଆୟୋଜିତ ଏକ କାର୍ଯ୍ୟକ୍ରମବେଳେ କେତେକ ଅଜ୍ଞାତ ବନ୍ଧୁକଧାରୀ ଆଖିମୁଜା ଗୁଳିଚଳାଇବାରୁ ୨୭ ଜଣ ନିହତ ହୋଇଛନ୍ତି ଓ ୨୯ ଜଣ ଆହତ ହୋଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଆଫଗାନିସ୍ତାନର ଜଣେ ବରିଷ୍ଠ ରାଜନେତା ତଥା ସିଇଓ ଅବଦୁଲ୍ଲା ଅବଦୁଲ୍ଲା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଟେଲିଭିଜନରେ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଚାଲିଥିବାବେଳେ ଏହି ଆକ୍ରମଣ ହୋଇଥିଲା ।  ଫଳରେ ଲୋକେ ଏହାକୁ ଟିଭିରେ  ଦେଖିପାରିଛନ୍ତି ।

 

ଶାନ୍ତିଚୁକ୍ତି ପରେ ଗୋଟିଏ ଦୁଇଟି ଆକ୍ରମଣ ହୋଇଥିଲେ ମଧ୍ୟ ଏହା ଥିଲା ସବୁଠାରୁ ବଡ଼ ଆକ୍ରମଣ । ତେବେ ତାଲିବାନ ଏହି ଆକ୍ରମଣ ଲାଗି ନିଜକୁ ଦାୟୀ କରିନଥିଲେ ମଧ୍ୟ ଏହା ତାଲିବାନର କାଣ୍ଡ ବୋଲି କୁହାଯାଉଛି । କାରଣ ଏହି କାର୍ଯ୍ୟକ୍ରମଟି ଆଫଗାନିସ୍ତାନର ପୂର୍ବତନ ହଜାରା ନେତା ଅବଦୁଲ ଅଲ୍ଲି ମଜାରିଙ୍କ ସ୍କୃତି ଉଦ୍ଦେଶ୍ୟରେ ହେଉଥିଲା । ମଜାରିଙ୍କୁ ୧୯୯୫ ମସିହାରେ ତାଲିବାନ ପକ୍ଷରୁ ହତ୍ୟା କରାଯାଇଥିଲା ।
ଗତ ଶନିବାରଦିନ କାତାରର ଦୋହାଠାରେ ସ୍ୱାକ୍ଷରିତ ଶାନ୍ତିଚୁକ୍ତି ଅନୁସାରେ ଆସନ୍ତା ୧୪ ମାସ ମଧ୍ୟରେ ଆମେରିକା ଆଫଗାନିସ୍ତାନରୁ ନିଜର ସମସ୍ତ ସୈନ୍ୟ ଅପସାରଣ କରିବ । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୩୫ ଦିନ (ସାଢେ ୪ ମାସ) ମଧ୍ୟରେ ଆମେରିକା ନିଜର ପ୍ରାୟ ୮୬୦୦ ସୈନ୍ୟଙ୍କୁ ଅପସାରଣ କରିବ ।

ସମ୍ବନ୍ଧିତ ଖବର