ଡାକ୍ତରୀ ପାଠ୍ୟକ୍ରମରେ ଓବିସିଙ୍କୁ ୨୭%, ଆର୍ଥିକ ଦୁର୍ବଳ ବର୍ଗ ପାଇଁ ୧୦%ସିଟ୍‌

ନୂଆଦିଲ୍ଲୀ : ଡାକ୍ତରୀ ପାଠ୍ୟକ୍ରମ ନାମଲେଖାରେ ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ) ଏବଂ ଇଡବ୍ଲ୍ୟୁଏସ୍‌ (ଆର୍ଥିକ ଦୁର୍ବଳ ବର୍ଗ)ଙ୍କ ପାଇଁ କେନ୍ଦ୍ର ସରକାର ଆଜି ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିଛନ୍ତି। ଓିବିସିଙ୍କ ପାଇଁ ୨୭ ପ୍ରତିଶତ ଏବଂ ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସିଟ୍‌ ସଂରକ୍ଷିତ ରହିବ। ଚଳିତ ୨୦୨୧-୨୨ ବର୍ଷରୁ ଏହାକୁ କାର୍ଯ୍ୟକାରୀ କରାଯିବ। ଫଳରେ ଏମବିବିଏସ, ବିଡିଏସ୍‌, ପିଜି ଏବଂ ଡିପ୍ଲୋମା ସ୍ତରୀୟ ମେଡିକାଲ ପାଠ୍ୟକ୍ରମ ପାଇଁ ଉପରୋକ୍ତ ଦୁଇ ବର୍ଗର ଛାତ୍ରଛାତୀଙ୍କୁ ସଂରକ୍ଷଣ ସୁବିଧା ମିଳିବ। ସର୍ବ ଭାରତୀୟ ନାମଲେଖା କୋଟାରେ ଏହି ସୁବିଧା ମିଳିବ। ଏହି ନିଷ୍ପତ୍ତି ଫଳରେ ପ୍ରତିବର୍ଷ ଏମବିବିଏସରେ ୧୫୦୦ ଏବଂ ପିଜିରେ ୨୫୦୦ ଓବିସି ଛାତ୍ର ଉପକୃତ ହେବେ। ସେହିଭଳି ଆର୍ଥିକ ଦୁର୍ବଳ ବର୍ଗର ୫୫୦ ଜଣ ଏମବିବିଏସ ନାମଲେଖାରେ ଏବଂ ୧୦୦୦ ଜଣ ପିଜି ନାମଲେଖାରେ ଉପକୃତ ହେବେ। ସର୍ବ ଭାରତୀୟ ନା‌ମଲେଖା କୋଟାରେ ଏବେ ତଫସିଲଭୁକ୍ତ ଜାତି (ଏସ୍‌ପି) ପିଲାଙ୍କୁ ୧୫ ପ୍ରତିଶତ ଏବଂ ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ପିଲାଙ୍କୁ ୭.୫ ପ୍ରତିଶତ ସଂରକ୍ଷଣ ସୁବିଧା ମିଳୁଛି।

ସରକାରଙ୍କ ଏହି ନିଷ୍ପତ୍ତି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇ ଏଭଳି ସଂରକ୍ଷଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଦେଶର ସାମାଜିକ ନ୍ୟାୟ କ୍ଷେତ୍ରରେ ଏହା ଏକ ନୂଆ ଉଦାହରଣ ସୃଷ୍ଟି କରିବ।

ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୧୯୮୬ରୁ ସର୍ବ ଭାରତୀୟ କୋଟା ସ୍କିମ୍ କାର୍ଯ୍ୟକାରୀ ହେଉଛି। ଏଥିରେ ଜଣେ ପ୍ରାର୍ଥୀ ଦେଶର ଯେକୌଣସି ରାଜ୍ୟର ଭଲ କଲେଜରେ ନାମ ଲେଖାଇବା ସୁଯୋଗ ପାଇପାରୁଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଏକ ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି। ଅସଂରକ୍ଷିତଙ୍କ ପାଇଁ ଉଦିଷ୍ଟ ସିଟ୍‌ ସଂଖ୍ୟା ହ୍ରାସ ନଘଟି ପଛୁଆ ଏବଂ ଆର୍ଥିକ ଦୁର୍ବଳ ବର୍ଗର ୫୦୦୦ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ ବୋଲି ସେ କହିଛନ୍ତି।

ଗତ ୬ ବର୍ଷ ମଧ୍ୟରେ ଦେଶରେ ଏମବିବିଏସ୍‌ ସିଟ୍‌ ସଂଖ୍ୟା ୫୬ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୪ରେ ୫୪୩୪୮ ସିଟ୍ ଥିବାବେଳେ ୨୦୨୦ରେ ଏହା ୮୪୬୪୯ରେ ପହଞ୍ଚିଛି। ପିଜି ସିଟ୍ ସଂଖ୍ୟା ଉକ୍ତ ସମୟ ମଧ୍ୟରେ ୫୦ ପ୍ରତିଶତ ବୃଦ୍ଧି ଘଟି ୩୦୧୯୧ରୁ ୫୪୨୭୫ରେ ପହଞ୍ଚିଛି। ସେହିଭଳି ଏହି ସମୟ ମଧ୍ୟରେ ଦେଶରେ ୧୭୯ଟି ନୂଆ ମେଡିକାଲ ଖୋଲାଯାଇଛି। ଫଳରେ ଦେଶରେ ଏବେ ମେଡିକାଲ କଲେଜ ସଂଖ୍ୟା ୫୫୮ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର