ହନିମୁନ ପାଇଁ ଯାଇଥିବା ଦମ୍ପତିଙ୍କୁ ୨୭ ହଜାର ଟଙ୍କା ଜରିମାନା ଦେବେ ହୋଟେଲ ମାଲିକ

ମିଛ ଫଟୋ ଦେଖାଇ ହନିମୁନ ପାଇଁ ଯାଇଥିବା ଦମ୍ପତିଙ୍କୁ ହଇରାଣ କରିଥିବାରୁ ଦଣ୍ଡ

ନୂଆଦିଲ୍ଲୀ: ବିବାହ ପରେ ହନିମୁନ୍ ପାଇଁ ମନାଲି ଯାଇଥିବା ଦମ୍ପତିଙ୍କୁ ଠକେଇ ଓ ମିଛ ପ୍ରତିଶୃତି ଦେଇଥିବା ଅଭିଯୋଗରେ ଗ୍ରାହକ ଆୟୋଗ ଏକ ହୋଟେଲ ମାଲିକ ଓ ଟ୍ରାଭେଲ ଏଜେନ୍ସିକୁ ଦଣ୍ଡ ବିଧାନ କରିଛନ୍ତି | ରିପୋର୍ଟ ଅନୁଯାୟୀ ଏହି ଦମ୍ପତି ଚଣ୍ଡୀଗଡ଼ ଉପଭୋକ୍ତା ବିବାଦ ନିବାରଣ ଆୟୋଗରେ ଅଭିଯୋଗ କରିଥିଲେ ଯେ ସେମାନେ ଏକ ଟ୍ରାଭେଲ ଏଜେନ୍ସି ମାଧ୍ୟମରେ ହନିମୁନ୍ ପ୍ୟାକେଜ୍ ବୁକ୍ କରିଥିଲେ | କିନ୍ତୁ ସେଠାରେ ପହଞ୍ଚିବା ପରେ ବୁକିଂ ସମୟରେ ଯେଉଁ ସୁବିଧା ଦେବାକୁ ପ୍ରତିଶୃତି ଦିଆଯାଇଥିଲା ସେହି ସୁବିଧା ମିଳିନଥିଲା |

ଏହି କାରଣରୁ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା | ଏହି ଦମ୍ପତି ସେମାନଙ୍କ ଅଭିଯୋଗରେ କହିଥିଲେ ଯେ ଡିସେମ୍ବର ୧୫, ୨୦୨୦ ରେ ସେମାନଙ୍କୁ ମନାଲିର ହୋଟେଲ ଦି ହମସୋର ଭ୍ୟୁରେ ରହିବାକୁ ଅଫର ଦିଆଯାଇଥିଲା। ବୁକିଂ ନିଶ୍ଚିତ ହେବା ପରେ ସେମାନେ ବୁକିଂ ରାଶି ଭାବରେ ୧୦,୩୦୨ ଟଙ୍କା ମଧ୍ୟ ପ୍ରଦାନ କରିଥିଲେ। ଏହା ସତ୍ତ୍ୱେ ବୁକିଂ ସମୟରେ ଟ୍ରାଭେଲ ଏଜେନ୍ସି ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ସୁବିଧା ସେମାନଙ୍କୁ ଦିଆଯାଇନଥିଲା। ଅଭିଯୋଗ ଅନୁଯାୟୀ, ଟ୍ରାଭେଲ ଏଜେନ୍ସି ସେମାନଙ୍କୁ ହୋଟେଲର କିଛି ମିଛ ଫଟୋ ଦେଖାଇଥିଲା।

ଆଶ୍ଚର୍ଯ୍ୟର କଥା, ଯେତେବେଳେ ଦମ୍ପତି ହୋଟେଲରେ ପହଂଚିଥିଲେ ସେତେବେଳେ ଏଭଳି ଦୃଶ୍ୟ ନଥିବାର ଜାଣିବାକୁ ପାଇଥିଲେ | ଏହି ଦମ୍ପତି ଟ୍ରାଭେଲ ଏଜେନ୍ସିକୁ ଏନେଇ ଅଭିଯୋଗ କରିଥିଲେ କିନ୍ତୁ ଏଜେନ୍ସି ସେମାନଙ୍କ କଥା ଶୁଣିନଥିଲା | ପରେ ଏହି ଦମ୍ପତି ଉପଭୋକ୍ତା ବିବାଦ ନିବାରଣ ଆୟୋଗରେ ଅଭିଯୋଗ କରିଥିଲେ | ଏହା ପରେ ଆୟୋଗଙ୍କ ପକ୍ଷରୁ ଟ୍ରାଭେଲ ଏଜେନ୍ସି ଓ ହୋଟେଲ ମାଲିକଙ୍କୁ ଡକାଇଥିଲା। ଉଭୟ ପକ୍ଷ ଆୟୋଗରେ ହାଜର ହେବାରେ ବିଫଳ ହୋଇଥିଲେ। ଆୟୋଗ ଜାଣିବାକୁ ପାଇଥିଲେ ଯେ ଟ୍ରାଭେଲ ଏଜେନ୍ସି ଏବଂ ହୋଟେଲ ଦମ୍ପତିଙ୍କୁ ଠକିଛନ୍ତି । ତେଣୁ ଟ୍ରାଭେଲ ଏଜେନ୍ସି ଏବଂ ହୋଟେଲ ମାଲିକ ଅଭିଯୋଗକାରୀଙ୍କୁ ୨୭,୩୦୨ ଟଙ୍କା ଦେବାକୁ ପଡିବ ବୋଲି ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି |

 

ସମ୍ବନ୍ଧିତ ଖବର