ସ୍ୱତନ୍ତ୍ର ବିମାନରେ ଇରାନରୁ ଫେରିଲେ ୨୭୫ ଭାରତୀୟ, ଆର୍ମି ୱେଲନେସ୍ ସେଣ୍ଟରରେ ରହିବେ

ଯୋଧପୁର:  ଇରାନରେ ଫସିଥିବା ଆଉ ୨୭୫ ଭାରତୀୟ ଆଜି ସ୍ୱଦେଶ ଫେରିଛନ୍ତି । ଏହି ସମସ୍ତ ଭାରତୀୟଙ୍କୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଅଣାଯାଇଛି । ରାଜସ୍ଥାନର ଯୋଧପୁର ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଇରାନ ଫେରନ୍ତାଙ୍କୁ ଆର୍ମିର ୱେଲନେସ୍ ସେଣ୍ଟରକୁ ନିଆଯାଇଛି । ବିମାନରୁ ଓହ୍ଲାଇବା ପରେ ବିମାନ ବନ୍ଦରରେ ସମସ୍ତ ଇରାନ ଫେରନ୍ତାଙ୍କ ଥର୍ମାଲ ସ୍କାନିଂ କରାଯାଇଥିଲା  । ଏହା ପରେ ସମସ୍ତଙ୍କୁ ସେନାର କ୍ୟାମ୍ପକୁ ନିଆଯାଇଛି । ଏଠାରେ ସମସ୍ତଙ୍କର ଆବଶ୍ୟକ କରୋନା ପରୀକ୍ଷା କରାଯିବ । ସମସ୍ତଙ୍କୁ ଅତି କମରେ ଆର୍ମି ୱେଲନେସ୍ ସେଂଟରରେ ୧୪ ଦିନ ରହିବାକୁ ପଡିବ ।

ସେପଟେ, ଦେଶବ୍ୟାପି ଚାଲିଛି ୨୧ ଦିନିଆ ଲକଡାଉନ । ଏହାରି ଭିତରେ ଗାଁକୁ ଫେରିଯିବା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ଦେଶର ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକ, ଦିନମଜୁରିଆ ଓ ରିକ୍ସା ଚାଳକ । ପିଲାଛୁଆ ଧରି ଯେମିତି ହେଉ ଗାଁକୁ ଫେରି ଯିବାକୁ ବାହାରିଛନ୍ତି ହଜାର ହଜାର ଶ୍ରମିକ । ବିଶେଷକରି ଦିଲ୍ଲୀ ଉତ୍ତର ପ୍ରଦେଶ ସୀମାରେ ଏହା ଅଧିକ ମାତ୍ରାରେ ଦେଖିବାକୁ ମିଳିଛି । ୟୁପି ସରକାର ବସ୍ ଯୋଗେ ଯିବା ପାଇଁ ବ୍ୟବସ୍ଥା କରିବା ପରେ ଲୋକାରଣ୍ୟ ହୋଇପଡିଛି ଆନନ୍ଦବିହାର ଅଂଚଳ । ପଡୋଶୀ ରାଜ୍ୟରେ ଫସିଥିବା ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ୧ ହଜାର ବସର ବ୍ୟବସ୍ଥା କରିଛନ୍ତି ୟୁପି ସରକାର ।

ତେବେ ଲକଡାଉନ ସମୟରେ ଲୋକଙ୍କର କୌଣସି ଅସୁବିଧା ହେବ ନାହିଁ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବାରମ୍ବାର ପ୍ରତିଶ୍ରୁତି ସତ୍ୱେ ଏମାନେ ଘରକୁ ଫେରିଯିବାକୁ ବାହାରିଛନ୍ତି । କାରଣ, କାମ ବନ୍ଦ ହୋଇଯିବା କାରଣରୁ ସ୍ଥିତି ବିପନ୍ନ ହୋଇଗଲାଣି । କାହା ପାଖରେ ଖାଇବାକୁ ନାହିଁ ତ ଆଉ କାହା ପାଖରେ ରହିବାକୁ ଜାଗା ନାହିଁ । ଦିନ ଯେତିକି ବଢୁଛି ସେତିକି ଅସହାୟ ମନେ କରୁଛନ୍ତି ଏମାନେ । ଲକ୍ଷାଧିକ ଲୋକଙ୍କ ଯନ୍ତ୍ରଣା ବଢାଇଦେଇଛି କରୋନା ।

ସମ୍ବନ୍ଧିତ ଖବର