ଓଡ଼ିଶାରେ ଜୁନ୍‌ ସୁଦ୍ଧା ୨,୭୬,୬୯୬ ବଜ୍ରପାତ

ନୂଆଦିଲ୍ଲୀ: ଓଡ଼ିଶାରେ ଚଳିତ ବର୍ଷ ଜୁନ୍‌ ସୁଦ୍ଧା ୨ ଲକ୍ଷ ୭୬ ହଜାର ୬୯୬ ବଜ୍ରପାତ ଘଟିଛି। ୨୦୨୦ରେ ଓଡ଼ିଶାରେ ୬୦ ହଜାର ୪୦୩ ବଜ୍ରପାତ ଘଟିଥିବା ବେଳେ ୨୦୧୯ରେ ବଜ୍ରପାତ ସଂଖ୍ୟାଥିଲା ୫ ଲକ୍ଷ ୬୪ ହଜାର ୨୯୩। ଲୋକସଭାରେ ଦେଶର ବିଭିନ୍ନ ଭାଗରେ ବଜ୍ରପାତଜନିତ ଘଟଣା ସଂପର୍କରେ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସମେତ ୧୩ ଜଣ ସାଂସଦଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଡଃ. ଜିତେନ୍ଦ୍ର ସିଂହ। କେନ୍ଦ୍ର ମନ୍ତ୍ରୀଙ୍କ ସୂଚନା ଅନୁସାରେ ଓଡ଼ିଶାରେ ଏପ୍ରିଲ ୧, ୨୦୨୦ ରୁ ୩୧ ମାର୍ଚ୍ଚ ୨୦୨୧ ସୁଦ୍ଧା ବଜ୍ରପାତରେ ୧୫୬ ଜଣଙ୍କ ମୃତ୍ୟୁ ହୋଇଛି। ଗତ ଦୁଇ ଦଶନ୍ଧୀ ହେଲା ଦେଶରେ ବଜ୍ରପାତ ସଂଖ୍ୟା ବୃଦ୍ଧି ପାଇଥିବା ମନ୍ତ୍ରୀ ଶ୍ରୀ ସିଂହ ସୂଚନା ଦେଇଛନ୍ତି।

ଓଡ଼ିଶାକୁ ବିଶେଷ ସହାୟତା ଯୋଜନାରେ ୩୭୪ କୋଟି
କେନ୍ଦ୍ର ସରକାର ଓଡ଼ିଶାକୁ ୨୦୨୧-୨୨ ଆର୍ଥିକ ବର୍ଷରେ ପୁଂଜିଗତ ବ୍ୟୟ (କ୍ୟାପିଟାଲ୍‌ ଏକ୍ସପେଣ୍ଡିଚର୍‌) ବିଶେଷ ସହାୟତା ଯୋଜନାରେ ୩୭୪ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଆଜି ଲୋକସଭାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ସମ୍ବନ୍ଧିତ ଖବର