ଭାରତରେ କାୟା ବିସ୍ତାର କରୁଛି କରୋନା: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮, ବଢ଼ିବା ଆଶଙ୍କା ରହିଛି

ନୂଆଦିଲ୍ଲୀ : ଭାରତରେ ବଢ଼ୁଛି କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା। ବିଭିନ୍ନ ରାଜ୍ୟରେ ଚିହ୍ନଟ ହେଉଛନ୍ତି କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରେ ଅଧିକାଂଶ ବିଦେଶରୁ ସଂକ୍ରମଣ ଆଣିଥିବା ଅନୁମାନ କରାଯାଉଛି।  ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ  ଡା.ହର୍ଷ ବର୍ଦ୍ଧନ ପରିସ୍ଥିତିର ସମୀକ୍ଷା କରିବା ସହ ଏଯାବତ୍ ଭାରତରେ ୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଘୋଷଣା କରିଛନ୍ତି। ତେବେ ଏଥି ମଧ୍ୟରେ  ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିବା କେରଳର ରୋଗୀ ୩ ଜଣ ଅନ୍ତର୍ଭୁକ୍ତ ଥିବା କଥା ସେ ସୂଚନା ଦେଇଛନ୍ତି। ଚିନ୍ତାର ବିଷୟ ହେଲା ମଙ୍ଗଳବାର ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬ ଥିବା ବେଳେ ବୁଧବାର ଏହା ୨୮କୁ ବୃଦ୍ଧି ପାଇଛି।

ବିଶ୍ବବ୍ୟାପୀ କରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏହା ଭାରତରେ ପହଞ୍ଚିବା ପରେ ଲୋକଙ୍କ ଚିନ୍ତା ବଢ଼ିଯାଇଛି। ଗତକାଲି ସୁଦ୍ଧା ୬ ଜଣ କ‌ରୋନା ଆକ୍ରାନ୍ତ ଥିବା ବେଳେ ଆଜି ଏହି ସଂଖ୍ୟା ପାଖାପାଖି ୪ଗୁଣା ହୋଇଯାଇଛି। ଆଗ୍ରାର ଦୁଇ ଜଣ ଜୋତା ରପ୍ତାନିକାରୀଙ୍କ ପରିବାରର ୬ ଜଣ କରୋନା ସନ୍ଦିଗ୍ଧଙ୍କୁ ମଙ୍ଗଳବାର ଦିଲ୍ଲୀର ସଫ୍‌ଦରଜଙ୍ଗ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।  ଦିଲ୍ଲୀରେ ଭାଇରସ୍‌ ଆକ୍ରାନ୍ତ ବ୍ୟକ୍ତିଙ୍କ ପୁଅ ନଏଡ଼ା ସ୍ଥିତ ଏକ ସ୍କୁଲ୍‌ରେ ଅଧ୍ୟୟନ କରୁଥିବାରୁ ଏବେ ଏହି ସ୍କୁଲ୍‌କୁ ବନ୍ଦ ରଖାଯାଇଛି। ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଉକ୍ତ ଛାତ୍ର ଯେଉଁ ସ୍କୁଲ୍‌ରେ ଅଧ୍ୟୟନ କରୁଥିଲା ସେହି ସ୍କୁଲ୍‌କୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି। ଭାରତରେ କରୋନା ଆକ୍ରାନ୍ତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ଏବେ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ଦିଲ୍ଲୀରେ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଫେବ୍ରୁଆରି ୨୫ରେ ଇଟାଲିରୁ ଫେରିଥିଲେ। ସେ ଏବେ ଆରଏମଏଲ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଉକ୍ତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କଠାରେ ବି ଭାଇରସ୍‌ ଲକ୍ଷଣ ଦେଖାଦେବାରୁ ସେମାନଙ୍କୁ ସଫଦରଜଙ୍ଗ ହସ୍ପିଟାଲ୍‌ ନିଆଯାଇଛି। ସେହିପରି ଭାରତ ଭ୍ରମଣରେ ଆସିଥିବ‌ା ୧୬ ଜଣ ଇଟାଲି ପର୍ଯ୍ୟଟକ ମଧ୍ୟ କରୋନା ଆକ୍ରାନ୍ତ ବୋଲି ସୂଚନା ରହିଛି। ଏମାନେ ପ୍ରଥମେ ରାଜସ୍ଥାନର ଜୟପୁର ଓ ପରେ ଆଗ୍ରା ଭ୍ରମଣରେ ଯାଇଥିଲେ।

କରୋନା ଭାଇରସ୍‌ ଏବେ ଏହାର କାୟା ବିସ୍ତାର କରି ଚୀନ୍‌ ପରେ ମୋଟ ୭୫ଟି ରାଷ୍ଟ୍ରରେ ପହଞ୍ଚି ସାରିଛି। ଭାଇରସ୍‌ ୩୧୦୦ରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଛି। ୯୦,୦୦୦ରୁ ଅଧିକ ଲୋକ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଆମେରିକାରେ କରୋନା ଯୋଗୁଁ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି। ମାତ୍ର ୩ ଦିନ ମଧ୍ୟରେ ଆମେରିକାରେ କରୋନା ଭାଇରସ୍‌ ଯୋଗୁଁ ୬ ଜଣଙ୍କ ମୃତ୍ୟୁ ହେବା ବିଷୟ ଆମେରିକାର ବରିଷ୍ଠ ଅଧିକାରୀଙ୍କ ଚିନ୍ତା ବଢ଼ାଇଛି। ୱାସିଂଟନ୍‌ରେ ହିଁ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଆମେରିକାରେ ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି। ଫ୍ଲୋରିଡ଼ା ଏବଂ ୱାସିଂଟନ୍‌ରେ ଏବେ ଜରୁରୀ ସ୍ବାସ୍ଥ୍ୟ ସ୍ଥିତି ଘୋଷଣା ହୋଇଛି। ବ୍ରିଟେନ୍‌ ମଧ୍ୟ କରୋନା ମୁକାବିଲା ପାଇଁ ଆଜି ଅନେକ କଟକଣା ଜାରି କରିଛି। ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ଭାଇରସ୍‌ ମୁକାବିଲା ଦିଗରେ ଜରୁରୀ ବୈଠକ କରିବା ସହ ‘ଆକ୍ସନ୍‌ ପ୍ଲାନ୍‌’ ଘୋଷଣା କରିଛନ୍ତି। କରୋନା ମୁକାବିଲା ପାଇଁ ବିଶ୍ବର ସମସ୍ତ ପ୍ରମୁଖ ରାଷ୍ଟ୍ର ଏବେ ଭିସା କଟକଣାକୁ ଗୁରୁତ୍ବ ଦେବା ସହ ବିମାନ ବନ୍ଦରରେ ଯାଞ୍ଚ କଡ଼ାକଡ଼ି କରିଛନ୍ତି।

ସମ୍ବନ୍ଧିତ ଖବର