ଗଣେଶ ବିସର୍ଜନ ବେଳେ ଜୀବନ ବିସର୍ଜନ : ମଧ୍ୟପ୍ର‌ଦେଶ ଏବଂ ମହାରାଷ୍ଟ୍ରରେ ଗଣେଶ ବିସର୍ଜନ ବେଳେ ଦୁର୍ଘଟଣା ଘଟି ୨୮ ମୃତ

ଭୋପାଳ : ମଧ୍ୟପ୍ର‌ଦେଶ ଏବଂ ମହାରାଷ୍ଟ୍ରରେ ଗଣେଶ ବିସର୍ଜନ ବେଳେ ଦୁର୍ଘଟଣା ଘଟି ୨୮ ଜଣ ପ୍ରାଣ ହରାଇଛନ୍ତି। ଭୋପାଳରେ ଆଜି ଏକ ଅଭାବନୀୟ ଘଟଣାକ୍ରମରେ ଗଣେଶ ବିସର୍ଜନ ସମୟରେ ଦୁଇଟି ନୌକା ବୁଡ଼ିଯାଇ ୧୧ ଜଣଙ୍କ ମୃତ୍ୟୁ ‌ହୋଇଯାଇଛି। ଦୁର୍ଘଟଣା ପରେ ୬ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା‌ ବେଳେ ଆହୁରି ୨ ଜଣ ନିଖୋଜ ଅଛନ୍ତି। ଶୁକ୍ରବାର ଭୋର ୪.୪୦ରେ ଭୋପାଳର ଖଟଲାପୁରା ଘାଟରେ ଏହି ଦୁର୍ଘଟଣା ଘଟିଛି। ଦୁଇଟି ନୌକାରେ ପ୍ରାୟ ୧୯ ଜଣ ଗଣେଶ ବିସର୍ଜନ ପାଇଁ ଗଭୀର ଜଳ ମଧ୍ୟକୁ ଯାଇଥିଲେ। ତେବେ ବିସର୍ଜନ କାମ ସରିବାପରେ ଦୁଇଟିଯାକ ନୌକା ହଠାତ୍‌ ବୁଡ଼ି ଯାଇଥିଲା।

ସୂଚନାନୁଯାୟୀ ପ୍ରେମପୁରା ଘାଟରେ ଗଣେଶ ବିସର୍ଜନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଯୁବକମାନେ ଏହି ନିର୍ଦ୍ଦେଶକୁ ଅଣଦେଖା କରି ଖଟଲାପୁରା ଘାଟକୁ ବିସର୍ଜନ ପାଇଁ ଯାଇଥିଲେ। ସମସ୍ତ ମୃ୍ତକ ପିପ୍‌ଲାନି ଅଞ୍ଚଳର ବୋଲି ଜଣାପଡ଼ିଛି। ରାଜ୍ୟ ସରକାର ଉକ୍ତ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି।

ମହାରାଷ୍ଟ୍ରରେ ମଧ୍ୟ ଗଣେଶ ବିସର୍ଜନ ବେଳେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଯୋଗୁଁ ପ୍ରାୟ ୧୭ ଜଣଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ୫ ଜଣ ନିଖୋଜ ଥିବା ଜଣାପଡ଼ିଛି। ଅମରାବତୀରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ରତ୍ନଗିରିରେ ୩, ନାସିକ୍‌ , ସିନ୍ଧୁଦୁର୍ଗ ଏବଂ ସତରାରେ ୨, ଥାନେ, ଧୁଲେ, ବୁଲ୍‌ଧନ ଏବଂ ଭଣ୍ଡାରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର