ନୂଆଦିଲ୍ଲୀ: ୨୦୧୭ ମସିହାରୁ ଏଯାଏଁ ଜମ୍ମୁକଶ୍ମୀରରେ ଆତଙ୍କବାଦୀମାନେ ୨୮ ଜଣ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଛନ୍ତି। ଏଥିମଧ୍ୟରୁ ବିହାରର ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଏହା ବ୍ୟତୀତ ମହାରାଷ୍ଟ୍ରର ୨ ଜଣ ଶ୍ରମିକ ଏବଂ ଝାଡ଼ଖଣ୍ଡର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଦିନ ସଂସଦରେ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଜୁଲାଇ ୨୨, ୨୦୨୨ ତାରିଖ ପର୍ଯ୍ୟନ୍ତ ଜମ୍ମୁକଶ୍ମୀରରେ ମୋଟ ୮୨ଜଣ ବିଦେଶୀ ଆତଙ୍କବାଦୀଙ୍କ ସହ ୫୯ ଜଣ ସ୍ଥାନୀୟ ଆତଙ୍କବାଦୀ ସକ୍ରିୟ ଥିଲେ। ଜଣେ ଅଧିକାରୀ କହିଛନ୍ତି ଯେ ଅଧିକାଂଶ ଆତଙ୍କବାଦୀମାନେ ଲଶ୍କର-ଇ-ତଇବା, ଦି ରେଜିଷ୍ଟାନ୍ସ ଫ୍ରଣ୍ଟ, ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ଭଳି ସଂଗଠନ ସହ ଜଡିତ। ଏହି ଚାରିଟି ଆତଙ୍କବାଦୀ ସଂଗଠନମାନେ ଗତ ୪ ବର୍ଷ ମଧ୍ୟରେ ଜମ୍ମୁକଶ୍ମୀରର ୭୦୦ଜଣ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତ କରିଛନ୍ତି |

Advertisment

୨୦୧୮ରେ ୧୮୭ଜଣ ଯୁବକ, ୨୦୧୯ରେ ୧୨୧, ୨୦୨୦ରେ ୧୮୧ ଏବଂ ୨୦୨୧ରେ ୧୪୨ ଜଣ ନିଯୁକ୍ତି ପାଇଛନ୍ତି। ଆତଙ୍କବାଦୀ ଗୋଷ୍ଠୀ ଚଳିତ ବର୍ଷ ଜୁନ୍ ଶେଷ ପର୍ଯ୍ୟନ୍ତ ୬୯ ଜଣ ଯୁବକଙ୍କୁ ନିଜ ଗୋଷ୍ଠୀରେ ସାମିଲ କରିଛନ୍ତି | ଏଥି ସହିତ ଚଳିତ ବର୍ଷ ୫୫ଟି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ୧୨୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଚଳିତ ବର୍ଷ ଜମ୍ମୁକଶ୍ମୀରରେ ୨୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।

ଏହା ସହ ଚଳିତ ବର୍ଷ ଆଠଟି ଗ୍ରେନେଡ ଆକ୍ରମଣ ହୋଇଛି। ତଥ୍ୟ ଅନୁଯାୟୀ, ୨୦୨୧ ମସିହାରେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଘଟଣାରେ ୧୪୬ ଆତଙ୍କବାଦୀ ନିହତ ହେବା ସହ ୪୧ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ।