କେରଳରେ କାୟା ବିସ୍ତାର କରୁଛି ଜିକା ଭୂତାଣୁ, ଏବେ ସୁଦ୍ଧା ସମୁଦାୟ ୨୮କୁ ବୃଦ୍ଧି

ତିରୁବନନ୍ତପୁରମ: ଦେଶରେ ଚାଲିଥିବା କରୋନାର ଦ୍ୱିତୀୟ ଲହରରେ କେରଳ ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହାସହ ଏବେ କେରଳରେ ପୁଣି ଏକ ନୂଆ ଭୂତାଣୁ ତାର କାୟା ବିସ୍ତାର କରୁଥିବା ଦେଖିବାକୁ ମିଳିଛି। ଗୁରୁବାର ଦିନ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଗର୍ଗ କହିଛନ୍ତି କି ପୁଣି କେରଳରେ ଜିକା ଭୂତାଣୁ ସଂକ୍ରମିତ ୫ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଜିକା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି।

ଅନ୍ୟପଟେ ଜିକା ଭୂତାଣୁ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ସତର୍କ ହୋଇଛନ୍ତି । ଏହାସହ ବି ରାଜ୍ୟ ସରକାର କରୋନା ସଂକ୍ରମଣ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ।

ବିନା ଗର୍ଗ କହିଛନ୍ତି କି କେରଳର ଅନାୟରା ଅଞ୍ଚଳର ଏକ ନିର୍ଦ୍ଧିଷ୍ଟ ୩ କିଲୋମିଟର ପରିଧି ଜିକା ଭୂତାଣୁ ସଂକ୍ରମଣର ହଟସ୍ପଟ୍ ପାଲଟିଛି । ତେଣୁ ଉକ୍ତ ଅଞ୍ଚଳକୁ ସରକାର ମଶା ମୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି ।

ଏହାସହ ତିରୁବନନ୍ତପୁରମଠାରେ ଜିକା ସଂକ୍ରମଣକୁ ନଜରରେ ରଖି ଜିଲ୍ଲା ଚିକିତ୍ସାଳୟରେ ଏକ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଗର୍ଗ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର