ଗ୍ବାଲିୟର୍: ମଧ୍ୟପ୍ରଦେଶର ଗ୍ୱାଲିୟରରେ ଜଣେ ପାଞ୍ଚ ବର୍ଷ ଝିଅ ସହ ଦୁଷ୍କର୍ମର ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଶାରୀରିକ ଆକ୍ରମଣର ଶିକାର ହେବା ପରେ କୁନି ଝିଅଟି ଏବେ ଜୀବନ ସହିତ ସଂଘର୍ଷ କରୁଛି। ଝିଅଟିର ଶରୀରରେ ଅନେକ କ୍ଷତ ଏବଂ ଗୁପ୍ତାଙ୍ଗରେ ଆଘାତ ଲାଗିଥିବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ତେବେ ଏପରି ଏକ ଜଘନ୍ୟ ଅପରାଧ ଝିଅଟିର ପଡ଼ୋଶୀ ଘରେ ରହୁଥିବା ଜଣେ ୧୭ ବର୍ଷୀୟା ନାବାଳକ କରିଥିବା ଅଭିଯୋଗ ହେବା ପରେ ନାବାଳକ ଜଣଙ୍କୁ ହେପାଜତକୁ ନିଆଯାଇଛି।
ଝିଅଟିର ବାପାମାଆ କିନ୍ତୁ ଦାବି କରିଛନ୍ତି ଯେ ଅଭିଯୁକ୍ତ ନାବାଳକ ନୁହେଁ, ପ୍ରାପ୍ତ ବୟସ୍କ। ଅଭିଯୁକ୍ତ ଝିଅଟିକୁ ତାଙ୍କ ଘରୁ ଏକ ପରିତ୍ୟକ୍ତ କୋଠାକୁ ନେଇଯାଇ ସେଠାରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
ପୁଲିସର କହିବା ଅନୁଯାୟୀ, ଅଭିଯୁକ୍ତ ଜଣକ ଦୁଷ୍କର୍ମ ପରେ ଝିଅର ମୁଣ୍ଡକୁ ବାରମ୍ବାର ମାଟିରେ ପିଟି ହତ୍ୟା କରିବାକୁ ଚେଷ୍ଟା କରିଥିଲା, ଯାହା ଫଳରେ ଝିଅଟିର ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଝିଅଟି ଏବେ ଗ୍ୱାଲିୟରର ଏକ ହସ୍ପିଟାଲରେ ଜୀବନ ପାଇଁ ସଂଘର୍ଷ କରୁଛି।
ଡାକ୍ତରଙ୍କ ଅନୁସାରେ, ଝିଅଟି ଶରୀର ସାରା କ୍ଷତ ଏବଂ ଗୁପ୍ତାଙ୍ଗରେ ଗଭୀର ଆଘାତ ପାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା। ସେଠାରେ ଏକ ବଡ଼ ଅସ୍ତ୍ରୋପଚାର କରାଯାଇଥିଲା, ଯେଉଁଥିରେ ତାଙ୍କ ଗୁପ୍ତାଙ୍ଗରେ ୨୮ଟି ସିଲାଇ ଆବଶ୍ୟକ ହୋଇଥିଲା।
ରିପୋର୍ଟରୁ ଜଣାପଡିଛି ଯେ ଅଭିଯୁକ୍ତ ମଦ୍ୟପ ଅବସ୍ଥାରେ ଥିଲେ ଏବଂ ଫେବୃଆରୀ ୨୨ ତାରିଖରେ ଝିଅଟିକୁ ତାଙ୍କ ଘର ଛାତରୁ ନିକଟସ୍ଥ ଏକ ପରିତ୍ୟକ୍ତ କୋଠାକୁ ନେଇଯାଇ ଏପରି କାଣ୍ଡ ରଚିଥିଲେ।
ପୁଅଟି ସେଠାରେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲା ଏବଂ ଆଘାତ ଦେଇଥିଲା, ଯାହା ଫଳରେ ସେ ଅଚେତ ହୋଇଯାଇଥିଲେ। ଚେତା ଫେରିବା ପରେ ସେ ତାଙ୍କ ପିତାମାତାଙ୍କୁ ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ। ଯାହାଫଳରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।