ଦେଶରେ ୨୪ ଘଣ୍ଟାରେ ୨୮ ହଜାର ସୁସ୍ଥ

ସାଢ଼େ ୭ ଲକ୍ଷରୁ ଅଧିକ ସୁସ୍ଥ ହେ‌ଲେଣି, ମୋଟ ସଂକ୍ରମିତ ସଂଖ୍ୟା ୧୨ ଲକ୍ଷ ଛୁଇଁବ

ନୂଆଦିଲ୍ଲୀ : ଦେଶରେ ସଂକ୍ରମଣ ମାମଲା ବଢ଼ୁଥିଲେ ମଧ୍ୟ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨୮ ହଜାର ୪୭୨ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ଏଯାତବ୍‌ ସାଢ଼େ ୭ ଲକ୍ଷରୁ ଅଧିକ ରୋଗୀ କରୋନାରୁ ସୁସ୍ଥ ହେଲେଣି। ଆରୋଗ୍ୟ ହାର ୬୩.୧୩ ପ୍ରତିଶତକୁ ବୃଦ୍ଧି ପାଇଛି। ୧୯ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୬୩.୧୩ ପ୍ରତିଶତ ଆରୋଗ୍ୟ ହାର ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସେହିଭଳି ବିଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ପୁଣି ୩୭ ହଜାର ୭୨୪ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୬୪୮ ମୃତ୍ୟୁ ହୋଇଛି। ଦେଶରେ ମୃତ୍ୟୁସଂଖ୍ୟା ୨୮ ହଜାର ୭୩୨କୁ ବୃଦ୍ଧି ପାଇଛି। ଲଗାତାର ୭ ଦିନ ଧରି ଦେଶରେ ସଂକ୍ରମଣ ମାମଲା ୩୦ ହଜାରରୁ ଅଧିକ ରହୁଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୧୧ ଲକ୍ଷ ୯୨ ହଜାର ୯୧୫ରେ ପହଞ୍ଚିଛି ଏବଂ ଏହା ୧୨ ଲକ୍ଷ ଅତିକ୍ରମ କରିବାକୁ ଯାଉଛି। ଦେଶରେ ଏବେ ସକ୍ରିୟ ମାମଲା ମାମଲା ୪ ଲକ୍ଷ ୧୧ ହଜାର ୧୩୩ରେ ପହଞ୍ଚିଛି।

ଆଇସିଏମ୍‌ଆର ତଥ୍ୟ ଅନୁଯାୟୀ ଦେଶରେ ଜୁଲାଇ ୨୧ ସୁଦ୍ଧା ୧ କୋଟି ୪୭ ଲକ୍ଷ ୨୪ ହଜାର ୫୪୬ ନମୁନା ପରୀକ୍ଷା କରାଯାଇଥିବାବେଳେ କେବଳ ୨୧ ତାରିଖରେ ୩ ଲକ୍ଷ ୪୩ ହଜାର୨୪୩ ନମୁନା ପରୀକ୍ଷା ହୋଇଛି। ତେବେ ଦେଶରେ କରୋନା ‌ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ମହାରାଷ୍ଟ୍ର‌ରେ ୩ ଲକ୍ଷ ୨୭ ହଜାର ୩୧ ମାମଲା ଥିବାବେଳେ ତାମିଲନାଡ଼ୁରେ ୧ ଲକ୍ଷ ୮୦ ହଜାର ୬୪୩ ମାମଲା, ଦିଲ୍ଲୀରେ ୧ ଲକ୍ଷ ୨୫ ହଜାର ୯୬ ଏବଂ କର୍ଣ୍ଣାଟକରେ ୭୧ ହଜାର ୬୯ ମାମଲା ରହିଛି। ତେବେ ୩ଟି ଦକ୍ଷିଣ ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁରେ ସଂକ୍ରମଣ ବଢ଼ିଛି। ଆନ୍ଧ୍ରପ୍ରଦେଶରେ ପାଖାପାଖି ୬୦ ହଜାର ମାମଲା ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରେ ୭୦ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି। ଗୁଜରାଟକୁ ଟପି ଆନ୍ଧ୍ରପ୍ରଦେଶ ଏବେ ଜାତୀୟସ୍ତରରେ ସଂକ୍ରମଣ ମାମଲା‌ରେ ପଞ୍ଚମ ସ୍ଥାନରେ ରହିଛି। ଦିଲ୍ଲୀ ସର୍ବାଧିକ ସଂକ୍ରମଣ ଥିବା ଶୀର୍ଷ ୫ଟି ରାଜ୍ୟ ତାଲିକାରେ ଥିଲେ ମଧ୍ୟ ଦିଲ୍ଲୀରେ ଆରୋଗ୍ୟ ହାର ବଢ଼ୁଛି। ଦିଲ୍ଲୀ‌ରେ ମୋଟ୍‌ ୧ ଲକ୍ଷ ୨୫ ହଜାର ସଂକ୍ରମଣ ମାମଲାରୁ ମାତ୍ର ୧୫ ହଜାରରୁ ଅଧିକ ସକ୍ରିୟ ମାମଲା ରହିଛି।

ସମ୍ବନ୍ଧିତ ଖବର