୬ ବର୍ଷରେ ୨୮୩୮ ପାକିସ୍ତାନୀଙ୍କୁ ମିଳିଛି ଭାରତୀୟ ନାଗରିକତା

୯୧୪ ଆଫ୍‌ଗାନ୍‌, ୧୭୨ ବାଂଲାଦେଶୀ ହୋଇପାରିଛନ୍ତି ଭାରତୀୟ ନାଗରିକ

ଚେନ୍ନାଇ : ବିଗତ ୬ ବର୍ଷ ମଧ୍ୟରେ ପାକିସ୍ତାନର ୨୮୩୮ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ମିଳିଛି। ସେହିଭଳି ଆଫ୍‌ଗାନିସ୍ତାନର ୯୧୪ ଏବଂ ବାଂଲାଦେଶର ୧୭୨ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପ୍ରଦାନ କରାଯାଇଛି ବୋଲି ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ୧୯୬୪ରୁ ୨୦୦୮ ମଧ୍ୟରେ ୪ ଲକ୍ଷରୁ ଊର୍ଦ୍ଧ୍ବ ଶ୍ରୀଲଙ୍କାର ତାମିଲ୍‌ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପ୍ରଦାନ କରାଯାଇଛି। ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ଦେଶବ୍ୟାପୀ ବିରୋଧ ହେଉଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ତଥ୍ୟ ରଖିଛନ୍ତି।

ଚେନ୍ନାଇରେ ସିଏଏ ସପକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, ୨୦୧୪ ପର୍ଯ୍ୟନ୍ତ ପାକିସ୍ତାନ, ଆଫ୍‌ଗାନିସ୍ତାନ, ବାଂଲାଦେଶର ମୋଟ ୫୬୬ ମୁସ୍‌ଲିମ୍‌ଙ୍କୁ ଭାରତର ନାଗରିକତା ପ୍ରଦାନ କରାଯାଇଥିଲା। ସେହିଭଳି ମୋଦୀଙ୍କ ପ୍ରଥମ ପାଳି ପ୍ରଧାନମନ୍ତ୍ରୀତ୍ବ କାଳରେ ୨୦୧୬ରୁ ୨୦୧୮ ମଧ୍ୟରେ ୧୫୯୫ ଜଣ ପାକିସ୍ତାନୀ ଏବଂ ଆଫ୍‌ଗାନିସ୍ତାନର ୩୯୧ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇଛି। ୨୦୧୬ରେ ଅଦ୍‌ନାନ୍‌ ସାମିଙ୍କୁ ଭାରତର ନାଗରିକତା ପ୍ରଦାନ କରାଯାଇଛି। ଯେଉଁମାନେ ପୂର୍ବ ପାକିସ୍ତାନରୁ ଆସିଥିଲେ, ସେମାନଙ୍କୁ ଭାରତର ବିଭିନ୍ନ ସ୍ଥାନରେ ରଖାଯାଇଛି। ଭାରତ ସରକାର କାହାର ନାଗରିକତାକୁ ଛଡ଼ାଇବେ ନାହିଁ, ନାଗରିକତା ପ୍ରଦାନ କରିବେ ବୋଲି ସେ କହିଛନ୍ତି। କେବଳ ସଂକୀର୍ଣ୍ଣ ରାଜନୀତି ପାଇଁ ସିଏଏ ବିରୋଧରେ ମିଥ୍ୟା ପ୍ରଚାର ଚାଲିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ମଧ୍ୟ ପ୍ରତି ୧୦ ବର୍ଷରେ ଥରେ ନବୀକରଣ ହେବା ବ୍ୟବସ୍ଥା ରହିଥିବା ବେଳେ ବିରୋଧୀମାନେ ଏହାକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରି ଫାଇଦା ଉଠାଇବାକୁ ଚାହୁଛନ୍ତି ବୋଲି ସୀତାରମଣ କହିଛନ୍ତି।

ସମ୍ବନ୍ଧିତ ଖବର