ମୁମ୍ବାଇରେ ପ୍ରଶାସନର ଗଛକଟାକୁ ବିରୋଧ କରି ୬ ମହିଳାଙ୍କ ସମେତ ୨୯ ଗିରଫ

ମୁମ୍ବାଇ: ମୁମ୍ବାଇର ଆରେ କଲୋନିରେ ପ୍ରଶାସନର ଗଛକଟାକୁ ବିରୋଧ କରି ୬ ଜଣ ମହିଳାଙ୍କ ସମେତ ୨୯ ଜଣ ଗିରଫ ହୋଇଛନ୍ତି। ଏଥିସହ ଏହି ଘଟଣାରେ ପୁଲିସ୍‌ ୬୦ ଜଣଙ୍କୁ ଅଟକ ରଖିଛି।

ପୁଲିସ୍‌ ଅଧିକାରୀଙ୍କ ସୂଚନା ଅନୁସାରେ, ଆରେ କଲୋନିରେ ମୁତୟନ ହୋଇଥିବା ପୁଳିସ୍‌ କର୍ମଚାରୀଙ୍କୁ କର୍ତ୍ତବ୍ୟ ସଂପାଦନ କରିବାରେ ବାଧା ସୃଷ୍ଟି କରିଥିଲେ ଆନ୍ଦୋଳନକାରୀ। ଏପରିିକି କିଛି ପୁଲିସ୍‌ କର୍ମଚାରୀଙ୍କୁ କିଛି ଆନ୍ଦୋଳନକାରୀ ଆକ୍ରମଣ କରିଥିଲେ।

(Photo | PTI)

ଏମ୍‌ଏମ୍‌ଆର୍‌ସିଏଲ୍‌ ଗତ ଶୁକ୍ରବାରଠାରୁ କାର୍‌ ପାର୍କିଂ ସେଡ୍‌ ନିର୍ମାଣ ଲାଗି ଗଛକଟା ଆରମ୍ଭ କରିଥିଲା। ଏହାକୁ କିଛି ପରିବେଶ ପ୍ରେମୀ ବିରୋଧ କରିଥିଲେ। ଗଛକଟା ଉପରେ ରହିତାଦେଶ ଲାଗି ବମ୍ବେ ହାଇକୋର୍ଟରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆବେଦନ ମଧ୍ୟ କରିଥିଲେ। କିନ୍ତୁ ହାଇକୋର୍ଟ ଏହାକୁ ଖାରଜ କରି ଦେଇଥିଲେ। ଏହାପରେ ମୁମ୍ବାଇର ସବୁଜ ବଳୟ କୁହାଯାଉଥିବା ଆରେ କଲୋନିରେ ପ୍ରଶାସନ ପକ୍ଷରୁ ଗଛକଟା ଆରମ୍ଭ ହୋଇଥିଲା।

ପୁଲିସ୍‌ ହେପାଜତରେ ଗଛକଟା ଚାଲିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ପରିବେଶ ପ୍ରେମୀ ଓ ଅନ୍ଦୋଳନକାରୀ ଏହାକୁ ବିରୋଧ କରିଥିଲେ। ଏହି ସମୟରେ ପୁଲିସ୍‌ ସହ ଲୋକଙ୍କର ଧସ୍ତାଧସ୍ତି ହୋଇଥିଲା। ଫଳରେ ପୁଲିସ୍‌ ସେମାନଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର