ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଏକ ବସ୍ ୧୦୦ ଫୁଟ ଗଭୀର ଖାଇକୁ ଖସିପଡିବାରୁ ୨୬ ଜଣ ସ୍କୁଲ ପିଲାଙ୍କ ସହ ୨୯ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ବସର ଚାଳକ ଓ ୨ ଜଣ ଶିକ୍ଷକ ଅନ୍ତର୍ଭୁକ୍ତ ଅଛନ୍ତି । କାଙ୍ଗଡା ଜିଲାରେ ଏହି ଦୁର୍ଘଟଣା ଘଟିଛି । ଏହି ବସରେ ୪୦ ଜଣ ସ୍କୁଲ ପିଲାଥିବା ପ୍ରାଥମିକ ସୂଚନା ମିଳିଛି । ଏହି ପିଲାମାନେ ୱାଜିର ରାମ ସିଂ ପଠାନିଆ ମେମୋରିଆଲ ସ୍କୁଲର ପିଲା ବୋଲି ଜଣାପଡିଛି । ଏହି ପିଲାମାନେ ୫ମ ବା କମ ଶ୍ରେଣୀର ଥିଲେ ଓ ସ୍କୁଲସାରି ଘରକୁ ଫେରୁଥିଲେ । ଆହତମାନଙ୍କୁ ଚିକିତ୍ସାପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନ୍ଡିଆର୍ଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ରାଜ୍ୟ ସରକାର ଏହି ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି । ମୁଖମନ୍ତ୍ରୀ ଜୟରାମ ଠାକୁର ମରିଥିବା ପିଲାମାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ସ୍ଥାନୀୟ ଲୋକଙ୍କ ମତରେ ବସର ଚାଳକ ଏହି ନୁରପୁର-ଚମ୍ବା ରୋଡରେ ଥିବା ଘାଟି ରାସ୍ତା ଦେଇ ଗଲା ବେଳେ ନିୟନ୍ତ୍ରଣ ହରାଇଥିଲା ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp