ବିଦେଶରୁ ଫେରିଥିବା ୨୯୪ ଜଣ କ୍ବାରେଣ୍ଟିନ୍‌ରେ

ନୂଆଦିଲ୍ଲୀ : ଚୀନ୍‌ ସମେତ କରୋନା ବ୍ୟାପିଥିବା ବିଭିନ୍ନ ରାଷ୍ଟ୍ରରୁ ୯୦୦ ଭାରତୀୟ ନାଗରିକ ଏବଂ ୪୮ ବିଦେଶ ନାଗରିକଙ୍କ ସମେତ ସମୁଦାୟ ୯୪୮ ଜଣଙ୍କୁ ଭାରତ ଅଣାଯାଇଛି। ସେମାନଙ୍କ ମଧ୍ୟରୁ ୬୫୪ ଜଣଙ୍କ ଶରୀରରେ ଭାଇରସ୍‌ ନେଗେଟିଭ୍‌ ଅଛି ଏବଂ ସେମାନଙ୍କୁ କ୍ବାରେଣ୍ଟିନ୍‌ ମୁକ୍ତ କରାଯାଇଛି । ଅନ୍ୟପକ୍ଷେ ୨୯୪ ଜଣଙ୍କ ଶରୀରରେ କୌଣସି ପ୍ରକାର ଭାଇରସ୍‌ ଲକ୍ଷଣ ନଥିଲେ ମଧ୍ୟ ବିପଦ ଆଶଙ୍କା ରହିଥିବାରୁ ସେମାନଙ୍କୁ କ୍ବାରେଣ୍ଟିନ୍‌ରେ ରଖାଯାଇଛି। ୪୮ ବିଦେଶ ନାଗରିକଙ୍କ ମଧ୍ୟରେ ମାଳଦ୍ବୀପ, ମିଆଁମାର, ବାଂଲାଦେଶ, ଚୀନ୍‌, ଆମେରିକା, ଶ୍ରୀଲଙ୍କା, ନେପାଳ, ଦକ୍ଷିଣ କୋରିଆ ଏବଂ ପେରୁର ନାଗରିକ ଅଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ୍‌ କରାଯାଇଛି।

ଇରାନ୍‌ରୁ ଫେରିଲେ ୫୮ ଭାରତୀୟ
ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଏକ ସାମରିକ ପରିବହନ ବିମାନ ଗତକାଲି ୫୮ ଜଣ ଭାରତୀୟଙ୍କୁ କରୋନା ପ୍ରଭାବିତ ଇରାନ୍‌ରୁ ଆଣି ଭାରତ ପହଞ୍ଚିଥିଲା। ବାୟୁସେନାର ସି-୧୭ ବିମାନକୁ ସୋମବାର ସନ୍ଧ୍ୟାରେ ତେହରାନ୍‌ ପଠାଯାଇଥିଲା। ଇରାନ୍‌ରେ ପ୍ରାୟ ୨,୦୦୦ ଭାରତୀୟ ଥିବାବେଳେ ପ୍ରଥମ ବ୍ୟାଚ୍‌ରେ ୫୮ ଜଣ ଭାରତୀୟ ଫେରିଛନ୍ତି।

ଇଟାଲିରୁ ଭାରତୀୟଙ୍କ ବାର୍ତ୍ତା : ଆମକୁ ସ୍ମଗ୍‌ଲର ଭଳି ଦେଖୁଛନ୍ତି
ନୂଆଦିଲ୍ଲୀ : ଚୀନ୍‌ ପରେ କରୋନା ଭାଇରସ୍‌ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଇଟାଲି । ୟୁରୋପୀୟ ରାଷ୍ଟ୍ର ଇଟାଲିରେ ଏବେ ଫସି ରହିଥିବା ଭାରତୀୟମାନେ ସ୍ବଦେଶ ଫେରି ଆ‌ସିବାପାଇଁ ବ୍ୟାକୁଳ ହୋଇଛନ୍ତି। କିଛି ଲୋକ ଭିଡିଓ ଜାରି କରି ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ସମ୍ପର୍କରେ ଅବଗତ କରିଛନ୍ତି। କେରଳର ଜଣେ ମହିଳା ଇଟାଲିର ବିମାନବନ୍ଦରରେ ଫସି ରହିଥିବାବେଳେ ତାଙ୍କ ଦୁଃଖ ବିଷୟରେ ସେ ଫେସବୁକ୍‌ରେ ଏକ ପୋଷ୍ଟ୍‌ କରିଛନ୍ତି। ସେ କହିଛନ୍ତି, ସେମାନଙ୍କୁ ସେଠାରେ ଚୋରା ଚାଲାଣକାରୀ ଭଳି ବ୍ୟବହାର ‌ଦେଖାଯାଉଛି। ବିମାନ ବନ୍ଦର କର୍ତ୍ତୃପକ୍ଷ ସେମାନଙ୍କୁ କହିଛନ୍ତି ଯେ, ଭାରତ ସେମାନଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହିଁ। ଉକ୍ତ ମହିଳା ଜଣଙ୍କ କହିଛନ୍ତି ମିଲନ ଏବଂ ‌ରୋମ୍‌ ବିମାନବନ୍ଦରରେ ପ୍ରାୟ ୨୦୦ ଭାରତୀୟ ଫସି ରହିଛନ୍ତି।

୭୦,୦୦୦ କଏଦୀଙ୍କୁ ମୁକ୍ତ କଲା ଇରାନ୍‌
ଦୁବାଇ : ଜେଲ୍‌ମାନଙ୍କରେ ଭାଇରସ୍‌ ନିୟନ୍ତ୍ରଣ କରିବାପାଇଁ ଇରାନ୍‌ ଅସ୍ଥାୟୀ ଭାବେ ଏହାର ୭୦,୦୦୦ କଏଦୀଙ୍କୁ ମୁକ୍ତ କରିଛି। ଗତ ସେମାବାର ଦିନ ଇରାନ୍‌ ଏହି ପଦକ୍ଷେପ ନେଇଛି। ଇରାନ୍‌ରେ ଜେଲ୍‌ମାନଙ୍କରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଇରାନ୍‌ ୭୦,୦୦୦ କଏଦୀଙ୍କୁ ମୁକ୍ତ କରିଛି।

ସମ୍ବନ୍ଧିତ ଖବର