ଟୁ-ଜି ସ୍କାମ୍‌: ଏ ରାଜା ଏବଂ କାନିମୋଝିଙ୍କ ସମେତ ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ

ନୂଆଦିଲ୍ଲୀ: ୩୦, ୦୦୦ କୋଟି ଟଙ୍କାର ଟୁ-ଜି ସ୍ପେକ୍ଟ୍ରମ୍‌ ଆବଣ୍ଟନ ଦୁର୍ନୀତି ମାମଲାରେ ଅଭିଯୁକ୍ତ ପୂର୍ବତନ ଟେଲିକମ୍‌ ମନ୍ତ୍ରୀ ଏ ରାଜା ଏବଂ ଡିଏମ୍‌କେ ସାଂସଦ କାନିମୋଝିଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର ଦିନ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୋଷମୁକ୍ତ କରିଛି।

ଏହି ମାମଲାରେ ଅଭିଯୁକ୍ତ ୧୯ ଜଣଙ୍କୁ ଦୋଷମୁକ୍ତ କରାଇ ସ୍ୱତନ୍ତ୍ର ସିବିଆଇ ଜଜ୍‌ ଓ ପି ସାଇନି ରାୟ ଶୁଣାଇ ଥିଲେ। ସେମାନେ ଟୁ-ଜି ଦୁର୍ନୀତି ମାମଲାରେ ବେଆଇନ ଅର୍ଥ କାରବାର କରିଥିଲେ ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ ଅଭିଯୋଗ କରିଥିଲା।

Image Courtesy of Mid-day

ରାୟ ଘୋଷଣା କରାଯିବା ପରେ ପ୍ରତିପକ୍ଷ ଓକିଲ ବିଜୟ ଅଗ୍ରଓ୍ଵାଲ ଅଦାଲତ ବାହାରେ କହିଛନ୍ତି ଯେ, ଏ ମାମଲାରେ ଆଗତ କରାଯାଇଥିବା ଅଭିଯୋଗ ପ୍ରମାଣ ଦେବାକୁ ସରକାରୀ ଓକିଲ ଅସଫଳ ହୋଇଛନ୍ତି। ତେଣୁ ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ ଘୋଷିତ ହୋଇଛନ୍ତି।

ଏ ରାଜା ଏବଂ କର୍ପୋରେଟ୍‌ମାନଙ୍କ ଗରିଫର ନେତୃତ୍ୱ ନେଇଥିବା ପୂର୍ବତନ ସିବିଆଇ ନିର୍ଦେଶକ ଏ ପି ସିଂହ ଏହି ରାୟ ଶୁଣି ହତବମ୍ବ ହୋଇ ଯାଇଛନ୍ତି। ସେ କହିଛନ୍ତି: ବିଚାରରେ କ’ଣ ହେଲା ମୁଁ ଜାଣେନା, କିନ୍ତୁ ଟୁ-ଜି ସ୍ପେକ୍ଟ୍ରମ୍‌ ଆବଣ୍ଟନରେ ସ୍ପଷ୍ଟ ଅନିୟମିତତା ହୋଇଥିବା କଥା ଆମେ ପୁଙ୍ଖାନୁପୁଙ୍ଖ ଭାବେ ସପ୍ରମାଣ ଦର୍ଶାଇ ଥିଲୁ।

ରାୟ ଘୋଷଣା ହେବା ସମୟରେ ପଟିଆଲା ହାଉସସ୍ଥିତ ଅଦାଲତ ପ୍ରକୋଷ୍ଠରେ ସମସ୍ତ ମୁଖ୍ୟ ଅଭିଯୁକ୍ତ ଉପସ୍ଥିତ ଥିଲେ। ଏହି ମାମଲାରେ କୋର୍ଟ ସମସ୍ତଙ୍କୁ ଦୋଷମୁକ୍ତ କରିବା ସହ ଯଦି ଭବିଷ୍ୟତରେ ଏହି ରାୟ ବିରୋଧରେ ଉଚ୍ଚ ନ୍ୟାଳୟରେ ଆପତ୍ତି କରାଯାଏ ସେଠାରେ ଉପସ୍ଥିତ ହେବା ପାଇଁ ପ୍ରତ୍ୟେକ ୫ ଲକ୍ଷ ଟଙ୍କାର ବେଲ୍‌ ବଣ୍ଡ୍‌ ଉପସ୍ଥାପନ କରିବାକୁ ନିର୍ଦେଶ ଦେଇଛି।

ଏହି ମାମଲାରେ ଦୋଷମୁକ୍ତ ହୋଇଥିବା ଅନ୍ୟମାନେ ହେଲେ ଟେଲିକମ୍‌ ସେକ୍ରେଟାରି ସିଦ୍ଧାର୍ଥ ବେହୁରା, ରାଜାଙ୍କର ପୂର୍ବତନ ବ୍ୟକ୍ତିଗତ ସଚିବ ଆର୍‌ କେ ଚାନ୍ଦୋଲିଆ, ସ୍ୱାନ୍‌ ଟେଲିକମ୍‌ ପ୍ରମୋଟର୍‌ର ଶାହିଦ ଉସ୍‌ମାନ୍‌ ବାଲ୍‌ଓ୍ଵା ଏବଂ ବିନୋଦ ଗୋଏଙ୍କା, ୟୁନିଟେକ୍‌ ଲିମିଟେଡ୍‌ର ଏମ୍‌ଡି ସଞ୍ଜୟ ଚନ୍ଦ୍ର ଏବଂ ରିଲାଏନ୍‌ସ୍‌ ଅନୀଲ ଧିରୁଭାଇ ଅମ୍ବାନି ଗ୍ରୁପ୍‌ର ତିନି ଜଣ ଶୀର୍ଷସ୍ଥରୀୟ ଅଧିକାରୀ ଗୌତମ ଦୋଶି, ସୁରେନ୍ଦ୍ର ପିପାରା ଏବଂ ହରି ନାୟର।

Image Courtesy of India.com

କୁସେଗାଓଁ ଫ୍ରୁଟ୍‌ସ୍‌ ଆଣ୍ଡ୍‌ ଭେଜିଟେବଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଅସିଫ୍‌ ବଲ୍‌ଓ୍ଵା ଏବଂ ରାଜୀବ ଅଗ୍ରଓ୍ଵାଲ, କାଲାଇଗ୍ନାର ଟିଭିର ନିର୍ଦେଶକ ଶରଦ କୁମାର ଏବଂ ବଲିଉଡ୍‌ ପ୍ରଯୋଜକ କରିମ ମୋରାନି ମଧ୍ୟ ଏହି ମାମଲାରେ ସମ୍ପୃକ୍ତ।

ସ୍ପେସାଲ ଜଜ୍‌ ସାଇନିଙ୍କ ନିକଟରେ ଥିଲା ତିନୋଟି ମାମଲା। ଦୁଇଟି ରୁଜୁ କରିଥିଲା ସିବିଆଇ। ଆଉ ଗୋଟିଏ ରୁଜୁ କରିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ। ସିବିଆଇର ପ୍ରଥମ ମାମଲା ଥିଲା ଟୁ-ଜି ଦୁର୍ନୀତି। ଏଥିରେ ରାଜା ଓ କାନିମୋଝୀଙ୍କ ସମ୍ପୃକ୍ତି ସ୍ପଷ୍ଟ କରାଯାଇଥିଲା।

ସିବିଆଇର ଦ୍ୱିତୀୟ ମାମଲାଟି ଥିଲା ଇସାର ଗ୍ରୁପ୍‌ ଏବଂ ଲୁପ୍‌ ଟେଲିକମ୍‌ ଏବଂ ସରାଫ୍‌ଙ୍କ ବିରୋଧରେ। ଅଦାଲତ ଏମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୪୨୦ ଅଧୀନସ୍ଥ ଅପରାଧିକ ଷଡ଼ଯନ୍ତ୍ର ମାମଲା ଧାରା ୧୨୦ ବି ଚାର୍ଜ କରିଛି।

ସମ୍ବନ୍ଧିତ ଖବର