ଏଣିକି ଭାରତରେ ଥାଇ ବି ପାକିସ୍ତାନର ଯେକୌଣସି ଟାର୍ଗେଟକୁ ଧ୍ବଂସ କରିପାରିବ ବାୟୁସେନା

ଆଜି ବାଲାକୋଟ ଏୟାରଷ୍ଟ୍ରାଇକର ୨ୟ ବର୍ଷପୂର୍ତ୍ତି  

ନୂଆଦିଲ୍ଲୀ : ବାଲାକୋଟ ଏୟାରଷ୍ଟ୍ରାଇକର ୨ୟ ବର୍ଷପୂର୍ତ୍ତି ପାଳନ ଅବସରରେ ଭାରତୀୟ ବାୟୁସେନା ଏକ ସ୍ବତନ୍ତ୍ର ପ୍ରକାରର ସାମରିକ ଅଭ୍ୟାସ କରିଛି । ବାୟୁସେନାର ଏକ ଲଢୁଆ ବିମାନ ଗ୍ବାଲିୟର ବାୟୁସେନା ଘାଟିରେ ରହି ରାଜସ୍ଥାନରେ ଥିବା ଏକ ଟାର୍ଗେଟକୁ ମିସାଇଲ ମାରି ଧ୍ବଂସ କରିଥିଲା । ସାମରିକ ଭାଷାରେ ଏହାକୁ ଲଙ୍ଗ୍ ରେଞ୍ଜ ପ୍ରେସିସନ ଷ୍ଟ୍ରାଇକ ବୋଲି କୁହାଯାଏ ।

ବାଲାକୋଟ ଏୟାରଷ୍ଟ୍ରାଇକ ବେଳେ ଭାରତୀୟ ବାୟୁସେନାର ମିରେଜ୍ ୨୦୦୦ ଲଢୁଆ ବିମାନଗୁଡ଼ିକ ପାକିସ୍ତାନ ବାୟୁସୀମାରେ ପ୍ରବେଶ କରି ବୋମା ପକାଇଥିଲା । କିନ୍ତୁ ଗତ ବର୍ଷ ରାଫେଲ ବିମାନ ଆସିବା ପରେ ଭାରତୀୟ ବାୟୁସେନା  ‘ଲଙ୍ଗ୍ ରେଞ୍ଜ ପ୍ରେସିସନ ଷ୍ଟ୍ରାଇକ’ କ୍ଷମତା ହାସଲ କରିଛି । ଏହାର ଅର୍ଥ ହେଉଛି ରାଫେଲ ବିମାନ ଭାରତୀୟ ବାୟୁସୀମା ମଧ୍ୟରେ ରହି ପାକିସ୍ତାନର ଯେକୌଣସି ଟାର୍ଗେଟକୁ ଧ୍ବଂସ କରିପାରିବ ।

ଗତ ୨୦୧୯ ଫେବ୍ରୁଆରୀ ୨୬ରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଥିବା ଜୈସ କ୍ୟାମ୍ପ ଉପରେ ଇସ୍ରାଇଲ ନିର୍ମିତ ସ୍ପାଇସ-୨୦୦୦ ବୋମା ପକାଇ ସେଥିରେ ଥିବା ଆତଙ୍କବାଦୀଙ୍କୁ ମାରିଦେଇଥିଲା । ଏହାର ପରଦିନ ପାକିସ୍ତାନ ବାୟୁସେନା ଭାରତର ଏକ ସେନା କାର୍ଯ୍ୟାଳୟ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ ବି ଭାରତୀୟ ବାୟୁସେନାର ସତର୍କତା ଯୋଗୁଁ ସେଥିରେ ସଫଳ ହୋଇପାରିନଥିଲା ।

ସମ୍ବନ୍ଧିତ ଖବର