୩.୧୭ ଲକ୍ଷ ନୂଆ ସଂକ୍ରମଣ: ୮ ମାସରେ ସର୍ବାଧିକ

କେରଳ ସ୍ଥିତି ସଂଗୀନ, ୪୬ ହଜାର ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଆଜି ଦୈନିକ କୋଭିଡ୍‌ ସଂକ୍ରମଣ ମାମଲା ୩ ଲକ୍ଷ ଟପିଯାଇଛି। ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ୩,୧୭,୫୩୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୨୪୯ ଦିନରେ ଏହା ସର୍ବାଧିକ। ଦେଶରେ ‌ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୮୨,୧୮,୭୭୩ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ମୋଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯,୨୮୭ରେ ପହଞ୍ଚିଛି। ମହାରାଷ୍ଟ୍ରରେ ସର୍ବାଧିକ ୧୭୩୮ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୧୬୭୨ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି। ଆଜି ଦେଶରେ ସକ୍ରିୟ ମାମଲା ୧୯,୨୪,୦୫୧ ରହିଛି ଏବଂ ୨୩୪ ଦିନରେ ଏହା ସର୍ବାଧିକ। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୫.୦୩ ପ୍ରତିଶତ। ଅନ୍ୟପକ୍ଷେ ଜାତୀୟ ଆରୋଗ୍ୟ ହାର ୯୩.୬୯ ପ୍ରତିଶତକୁ ଖସି ଆ‌ସିଛି। ଦେଶରେ ଦୈନିକ ପଜିଟିଭ୍‌ ହାର ୧୬.୪୧ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୧୬.୦୬ ପ୍ରତିଶତ ରହିଛି। ମୋଟ୍‌ ଟିକାକରଣ ୧୫୯.୬୭ କୋଟି ଟପିଯାଇଛି। ଦେଶରେ ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ୪୩,୬୯୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ଆଜି ସଂକ୍ରମଣ ମାମଲାରେ ୧୦ ପ୍ରତିଶତ ବୃଦ୍ଧି ହୋଇଛି। ମହାରାଷ୍ଟ୍ରରେ ୨୧୪ ଓମିକ୍ରନ୍‌ ସଂକ୍ରମିତ ଥିବାବେଳେ ୪୯ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୧୩,୭୮୫ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୩୫ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଗତ ୨୪ ଘଣ୍ଟାରେ ୪୯୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ୧୩ ରାଜ୍ୟରେ ୧୦ରୁ ଅଧିକ କରୋନା ମୃତ୍ୟୁ ହୋଇଛି।

ଦିଲ୍ଲୀରେ ୪୩ କରୋନା ମୃତ୍ୟୁ

ତିରୁଅନନ୍ତପୁରମ୍‌: କେରଳରେ ଆଜି ପାଖାପାଖି ୫୦ ହଜାର ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ରାଜ୍ୟରେ ୪୬,୩୮୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହେବା ସହ ଦୈନିକ ଟେଷ୍ଟ୍‌ ପଜିଟିଭ୍‌ ହାର ୪୦ ପ୍ରତିଶତ ଟପିଯାଇଛି। ଗତ ୨୪ ଘଣ୍ଟାରେ କେରଳରେ ୧,୧୫,୩୫୭ ନମୂନା ପରୀକ୍ଷା ହୋଇଛି। ତିରୁଅନନ୍ତପୁରମରେ ସର୍ବାଧିକ ୯,୭୨୦ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଏର୍ନାକୁଲମ, କୋଝିକୋଡ଼, ଥ୍ରିସୁର, କୋଟ୍ଟାୟମ ଏବଂ କୋଲ୍ଲମରେ ଯଥାକ୍ର‌ମେ ୩,୦୦୨, ୪,୦୧୬ , ୩,୬୨୭ ଏବଂ ୩,୦୯୧ ନୂଆ ମାମଲା ଚିହ୍ନଟ ହୋଇଛି। ଏଯାବତ ରାଜ୍ୟରେ ୧,୯୯,୦୪୧ ସକ୍ରିୟ ମାମଲା ରହିଛି। ଏଥି ମଧ୍ୟରୁ କେବଳ ୩ ପ୍ରତିଶତ ହସ୍ପିଟାଲ୍‌ରେ ଅଛନ୍ତି। ଦିଲ୍ଲୀରେ ଆଜି ୪୩ କରୋନା ମୃତ୍ୟୁ ହୋଇଛି। ଜୁନ୍‌ ପରେ ଏହା ଦିଲ୍ଲୀରେ ସର୍ବାଧିକ କରୋନା ମୃତ୍ୟୁ। ଗତବର୍ଷ ଜୁନ୍‌ ୧୦ ତାରିଖରେ ଦିଲ୍ଲୀରେ ସର୍ବାଧିକ ୪୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା। ଦିଲ୍ଲୀରେ ଆଜି ୧୨,୩୦୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲିର ସଂକ୍ରମଣ (୧୩,୭୮୫) ତୁଳନାରେ ଆଜି ସଂକ୍ରମଣ ମାମଲା ୧୦.୭୨ ପ୍ରତିଶତ କମ୍‌ ରହିଛି। ଦିଲ୍ଲୀରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧୭,୬୦,୨୭୨।

ସମ୍ବନ୍ଧିତ ଖବର