ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ବଢ଼ି ଚାଲିଥିବା କରୋନା ସଂକ୍ରମଣରେ ଲଗାମ କଷିବା ପାଇଁ ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ରଣନୀତିକୁ ପାଥେୟ କରି ଦେଶରେ କରୋନା ପରୀକ୍ଷା ପାଖାପାଖି ୩.୭ କୋଟିରେ ପହଞ୍ଚିଛି । ଦେଶରେ ଦୈନିକ ପରୀକ୍ଷଣ ଅଧିକରୁ ଅଧିକ କରିବା ସଂକଳ୍ପ ଯୋଗୁଁ ମୋଟ ନମୁନା ପରୀକ୍ଷଣ ସଂଖ୍ୟା ୩,୬୮,୨୭,୫୨୦ରେ ପହଞ୍ଚିଥିବା ସ୍ବ‌ାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାଣିବା ପାଇଁ ମିଳିଛି । କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୯,୨୫,୩୮୩ ନମୁନା ପରୀକ୍ଷା କରାଯାଇଥିବା ବେଳେ ନିୟୁତ ପିଛା ଏହି ସଂଖ୍ୟା ଦ୍ରୁତ ଗତିରେ ବଢ଼ି ୨୬,୬୮୫କୁ ଛୁଇଁଛି । ସମୟୋଚିତ ଚିହ୍ନଟ, ସଂକ୍ରମିତଙ୍କୁ ତୁରନ୍ତ ଅଲଗା କରିବା ଏବଂ ଉପଯୁକ୍ତ ଚିକିତ୍ସା ଫଳରେ ସଂକ୍ରମଣ ବ୍ୟାପିବାକୁ ହ୍ରାସ କରାଯାଇ ପାରିଛି । ଗୋଟିଏ ମାତ୍ର ପୁଣେ ପରୀକ୍ଷାଗାରରୁ ଆରମ୍ଭ ହୋଇ ଆଜି ଦେଶର ମୋଟ ପରୀକ୍ଷାଗାର ସଂଖ୍ୟା ୧୫୨୪ରେ ପହଞ୍ଚିଛି। ଏଥିରେ ୯୮୬ଟି ସରକାରୀ ଓ ୫୩୮ଟି ଘରୋଇ ପରୀକ୍ଷାଗାର ରହିଛି ।

Advertisment

publive-image New Indian Express

ଅନ୍ୟପକ୍ଷରେ ବଢ଼ି ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୬୦,୯୭୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଅଗଷ୍ଟ ୨୫ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୧୬୭୩୨୩ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୪୦୪୫୮୫ ଜଣ ସୁସ୍ଥ ହୋଇଥିବା ବେଳେ ୫୮୩୯୦ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୪୩୪୮ ରହିଛି। ଗତ ୨୪ ଘଣ୍ଟାରେ ୮୪୮ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଦେଶରେ କରୋନା ଜନିତ ସମୁଦାୟ ମୃତ୍ୟୁ ସଂଖ୍ୟା ୫୮୩୯୦ ରେ ପହଞ୍ଚିଛି।