ଶ୍ରମିକ ସ୍ପେଶାଲ ରେଳଗାଡ଼ିରେ ଯାତ୍ରା କଲେଣି ୩.୬ ଲକ୍ଷ

ନୂଆଦିଲ୍ଲୀ: ଚଳିତ କରୋନା ଭୂତାଣୁ ଲକ୍‌ଡାଉନ୍‌ କାଳରେ ଦେଶର ବିଭିନ୍ନ ଭାଗରେ ଫସି ରହିଥିବା ଶ୍ରମିକ ଶ୍ରେଣୀର ଲୋକମାନଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ଭାରତୀୟ ରେଳବାଇ ‘ଶ୍ରମିକ ସ୍ପେଶାଲ’ ନାମରେ ୩୫୦ଟି ନନ୍‌ଷ୍ଟପ୍‌ ଏକ୍ସପ୍ରେସ୍‌ ଗାଡ଼ିର ପ୍ରଚଳନ ଯୋଜନା କରିଛି। ମେ ପହିଲାରୁ ଆରମ୍ଭ ହୋଇଥିବା ଏହି ସେବା ଦ୍ୱାରା ଏପର୍ଯ୍ୟନ୍ତ ପ୍ରାୟ ୩ ଲକ୍ଷ ୬୦ ହଜାର ଶ୍ରମିକ ନିଜ ନିଜ ରାଜ୍ୟରେ ପହଞ୍ଚିସାରିଲେଣି। ୨୬୬ଟି ଗାଡ଼ି ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିସାରିଥିବା ବେଳେ ୮୪ଟି ଗାଡ଼ି ଚାଲୁରହିଛି ଏବଂ ଆଉ ୪୬ଟି ଗାଡ଼ି ଚାଲିବାକୁ ରହିଛି। ପ୍ରତ୍ୟେକ ଶ୍ରମିକ ସ୍ପେଶାଲ ଗାଡ଼ିର ୨୪ଟି ଲେଖାଏଁ ବଗି ରହିଛି ଏବଂ ପ୍ରତି ବଗିରେ ୭୨ଟି ଆସନ ହିସାବରେ ମୋଟ ୧୭୨୮ ଆସନ ଥିଲେ ସୁଦ୍ଧା ପ୍ରତି ବଗିରେ ୫୪ ଜଣ ଯାତ୍ରୀଙ୍କୁ ପରିବହନର ଅନୁମତି ଦିଆଯାଉଛି। ସାମାଜିକ ଦୂରତା ରକ୍ଷା ପାଇଁ ମଝି ବର୍ଥରେ କାହାକୁ ଯାତ୍ରା କରିବାକୁ ଦିଆଯାଉ ନାହିଁ।

ସମୁଦାୟ ୧୨୦୦ ଜଣ ଯାତ୍ରା କରିବାର ପ୍ରାବଧାନ ରହିଛି। ଏହି ଯାତ୍ରା ପାଇଁ କେତେ ଖର୍ଚ ହେଉଛି, ତାହା ଉପରେ ଏହି ଜାତୀୟ ପରିବହନକାରୀ ସଂଗଠନ କୌଣସି ସୂଚନା ଦେଇନଥିବା ବେଳେ ପ୍ରତି ସେବା ପିଛା ୮୦ ଲକ୍ଷ ଟଙ୍କା ଖର୍ଚ ହେଉଥିବା ସୂଚାଇଛି। ଆଗରୁ ସରକାର କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ୮୫:୧୫ ଅନୁପାତରେ ବ୍ୟୟ ବହନ କରୁଛନ୍ତି। ଏହି ରେଳଗାଡ଼ିଗୁଡ଼ିକର ଯାତ୍ରାରମ୍ଭ ସ୍ଥଳରେ ସର୍ବାଗ୍ରେ ଗୁଜରାଟ ରହିଥିବା ବେଳେ ଦ୍ବିତୀୟରେ କେରଳ ରହିଛି। ଶ୍ରମିକ ସ୍ପେଶାଲର ଗାଇଡ୍‌ଲାଇନ୍‌ ଅନୁସାରେ ୯୦ ଭାଗ ଆସନ ପୂରଣ ହେଉଥିଲେ ହିଁ ଗନ୍ତବ୍ୟ ଅଭିମୁଖେ ଗାଡ଼ି ଗଡ଼ିବ ଏବଂ ରାଜ୍ୟମାନେ ଟିକଟ ଭଡ଼ା ଆଦାୟ କରିବେ।

ସମ୍ବନ୍ଧିତ ଖବର