ଜୈସାଲମେର: ମଙ୍ଗଳବାର ଦିନ ରାଜସ୍ଥାନର ବାର୍ମର୍ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ତିନି ପୀଡ଼ିତଙ୍କ ଜୀବନ ଚାଲି ଯାଉଥିବା ବେଳେ ସେମାନଙ୍କୁ ସହାଯ୍ୟ ନ କରି ଦେଖଣାହାରିମାନେ ସେଲ୍ଫି ଉଠାଇବା ସହ ଭିଡିଓ ରେକର୍ଡିଙ୍ଗ୍ କରୁଥିଲେ।
ଅପରାହ୍ଣ ପ୍ରାୟ ୨ଟା ବେଳେ ୨୭ ବର୍ଷିୟ ପରମାନନ୍ଦ, ୩୦ ବର୍ଷିୟ ଗେମାରାମ ଓ ୩୦ ବର୍ଷିୟ ଚଣ୍ଡରାମ ଏକ ମଟରସାଇକେଲରେ ଯାଉଥିବା ବେଳେ ଚୌତାହାଣ ନିକଟରେ ଗୋଟାଏ ସ୍କୁଲ୍ ବସ୍ ସେମାନଙ୍କୁ ଧକ୍କା ଦେଇଥିଲା। ପରମାନନ୍ଦଙ୍କର ଘଟଣାସ୍ଥଳରେ ମୃତ୍ୟୁ ହେଲା ପରେ ଗେମାରାମ ଓ ଚଣ୍ଡରାମ ଲହୁଲୁହାଣ ହୋଇ ଅଧଘଣ୍ଟା ଯାଏଁ ରାସ୍ତାରେ ପଡ଼ିଥିଲେ। କେହି ସେମାନଙ୍କୁ ଡାକ୍ତରଖାନା ନେଲେ ନାହିଁ।
ସାହାଯ୍ୟ ପାଇଁ ଚଣ୍ଡରାମ କାକୁତି ମିନତି କରୁଥିବା ବେଳେ ଦେଖଣାହାରିମାନେ ସେଲ୍ଫି ଉଠାଇବା ଓ ଭିଡିଓ ରେକର୍ଡିଙ୍ଗ୍ କରିବାରେ ମାତିଥିଲେ।
ପୁଲିସ ଆସିଲା ବେଳକୁ ଅନେକ ବିଳମ୍ବ ହୋଇ ଯାଇଥିଲା।
ଡାକ୍ତରଖାନା ଯିବା ବାଟରେ ଗେମାରାମ ଓ ଚଣ୍ଡିରାମଙ୍କର ମୃତ୍ୟୁ ହୋଇଗଲା। ଠିକଣା ସମୟରେ ଡାକ୍ତରୀ ସହାୟତା ମିଳିଥିଲେ ମୃତ୍ୟୁ ରୋକି ହୋଇ ଥାଆନ୍ତା ବୋଲି ପୁଲିସ କହୁଛି।
ଏ ତିନି ବ୍ୟକ୍ତି ଗୁଜରାଟର ଗୋଟିଏ ସିମେଣ୍ଟ କାରଖାନାରେ ଶ୍ରମିକ ଠିକାଦାର ଭାବେ କାର୍ଯ୍ୟ କରୁଥିଲେ। ଦୁଇ ଦିନ ପରେ ସେମାନେ ଗୁଜରାଟ ଫେରୁଥିଲେ।
ଗେମାରାମଙ୍କର ପତ୍ନୀ ଓ ଗୋଟିଏ ଦୁଇ ବର୍ଷିଆ ପୁଅ ଥିବା ବେଳେ ଚଣ୍ଡରାମ ଛାଡ଼ି ଯାଇଛନ୍ତି ନିଜର ପିତାମାତା, ପତ୍ନୀ ଓ ଗୋଟିଏ ପାଞ୍ଚ ମାସିଆ ଝିଅକୁ।
ପରମାନନ୍ଦ ଅବିବାହିତ ଥିଲା ବୋଲି ପୁଲିସ କହିଛି।