ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ବାୟୁର ଗୁଣବତ୍ତା ସାଂଘାତିକ ଶ୍ରେଣୀରେ ରହିଥିବା ବେଳେ ମହାନଗରୀ ବିଷାକ୍ତ ଧୂଆଁରେ ଅଣନିଃଶ୍ବାସୀ ହୋଇପଡ଼ିଛି। ସୁଇସ୍ ଗ୍ରୁପ୍ ଆଇକ୍ୟୁଏୟାର୍‌ର ତଥ୍ୟ ଅନୁଯାୟୀ, କୋଲକାତା ଓ ମୁମ୍ବାଇ ସମେତ ଭାରତର ରାଜଧାନୀ ଦିଲ୍ଲୀ ଆଜି ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ରହିଛି। ଆଜି ସକାଳ ସାଢ଼େ ୭ଟା ସୁଦ୍ଧା ଏକ୍ୟୁଆଇ ୪୮୩ ସହ ନୂଆଦିଲ୍ଲୀ ପୁଣି ଥରେ ରିୟଲ ଟାଇମ୍ ପ୍ରଦୂଷଣ ତାଲିକାର ଶୀର୍ଷରେ ଥିବାବେଳେ ଲାହୋର ୩୭୧ ସହ ଦ୍ବିତୀୟ ସ୍ଥାନରେ ରହିଛି। କୋଲକାତା ଓ ମୁମ୍ବାଇ ମଧ୍ୟ ବାୟୁ ପ୍ରଦୂଷଣ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ୫ଟି ସହର ମଧ୍ୟରେ ରହିଛି, ଯାହାର ଏକ୍ୟୁଆଇ ସ୍ତର ଯଥାକ୍ରମେ ୨୦୬ ଓ ୧୬୨ ରହିଛି। ଅଧିକାରୀମାନେ କହିଛନ୍ତି ଯେ, କମ୍ ତାପମାତ୍ରା, ପବନର ଅଭାବ ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକରେ ନଡ଼ା ଜାଳିବା କାରଣରୁ ବାୟୁ ପ୍ରଦୂଷଣ ବୃଦ୍ଧି ପାଇଛି। କେତେକ ମନିଟରିଂ ଷ୍ଟେସନରେ ଏକ୍ୟୁଆଇ ୫୫୦ ପାଖାପାଖି ଥିବାରୁ ନୂଆଦିଲ୍ଲୀର ୨୦ ନିୟୁତ ବାସିନ୍ଦାଙ୍କ ମଧ୍ୟରୁ ଅଧିକାଂଶ ଆଖିରେ ଜଳାପୋଡ଼ା ଓ ଗଳାରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏକ୍ୟୁଆଇ ୦-୫୦ ଭିତରେ ରହିଲେ ଭଲ ବୋଲି ବିବେଚନା କରାଯାଉଥିବା ବେଳେ ୪୦୦-୫୦୦ ମଧ୍ୟରେ ରହିବା ଅତି ସାଂଘାତିକ।

Advertisment

ଏହା ସୁସ୍ଥ ଲୋକଙ୍କୁ ପ୍ରଭାବିତ କରିବା ସହ ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ଅଧିକ ବିପଦ ଆଣିଥାଏ। ଦିଲ୍ଲୀରେ ପିଏମ୍ ୨.୫ ନାମରେ ପରିଚିତ ସୂକ୍ଷ୍ମ କଣିକାର ସାନ୍ଦ୍ରତା ପ୍ରତି ଘନ ମିଟର ପିଛା ୫୨୩ ମିଲିଗ୍ରାମ୍ ଥିଲା, ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦିତ ମାତ୍ରାଠାରୁ ୧୦୪.୬ ଗୁଣ ଅଧିକ। ମନୁଷ୍ୟ କେଶଠାରୁ ପ୍ରାୟ ୩୦ ଗୁଣ ପତଳା ଏବଂ ଫୁସଫୁସ୍ ମାଧ୍ୟମରେ ରକ୍ତ ବାହିକାରେ ପ୍ରବେଶ କରିପାରୁଥିବା ଏହି କଣିକାଗୁଡ଼ିକର ଦୀର୍ଘକାଳୀନ ସଂସ୍ପର୍ଶରେ ଆସିବା ହୃଦୟ ଏବଂ ଶ୍ୱାସକ୍ରିୟା ଜନିତ ସମସ୍ୟା ସୃଷ୍ଟି କରିଥାଏ। ସାମ୍ପ୍ରତିକ ବାୟୁ ପ୍ରଦୂଷଣ ପରିପ୍ରେକ୍ଷୀରେ ଜାତୀୟ ରାଜଧାନୀରେ ଆଜିଠାରୁ ଅନେକ କଠୋର କଟକଣା ଲାଗୁ ହୋଇଛି। ଦିଲ୍ଲୀରେ ଏବେ ମିନି ଲକ୍‌ଡାଉନ୍‌ ଭିତରେ ଜନସାଧାରଣ ପ୍ରଦୂଷଣ ସ୍ଥିତିରେ ସୁଧାର ଆସିବାକୁ ଅପେକ୍ଷା କରିଛନ୍ତି।