ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟ୍‌ରେ ବୈଦେଶିକ ବ୍ୟାପାର, ସୂଚନା ଓ ପ୍ରସାରଣ ବିଭାଗର ତିନିଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ ଦିଆଯାଇଛି। ଏହି ଅନୁମୋଦନ ମଧ୍ୟରେ ଭାରତ-ଇଟାଲୀ ମଧ୍ୟରେ ପ୍ରବାସ ଓ ଚଳପ୍ରଚଳ ଚୁକ୍ତିକୁ ଅନୁମୋଦନ, ଅକ୍‌ଲ୍ୟାଣ୍ଡରେ ନୂତନ ଦୂତାବାସ ଖୋଲିବା ଏବଂ ସୂଚନା-ପ୍ରସାରଣ କ୍ଷେତ୍ରରେ ଭାରତର ପ୍ରସାର ଭାରତୀ ଓ ମାଲେସିଆ ଟେଲିଭିସିୟେନ୍‌ (ଆର୍‌ଟିଏମ୍‌) ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ ଚୁକ୍ତିକୁ ଅନୁମୋଦିତ କରାଯାଇଛି।

Advertisment

ପତ୍ର ସୂଚନା ବ୍ୟୁରୋ(ପିଆଇବି) ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି କ୍ୟାବିନେଟ୍‌ ବୈଠକ ବସିଥିଲା। ଭାରତ-ଇଟାଲୀ ମଧ୍ୟରେ ଭିସା, ଗମନାଗମନ ଆଦିକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ଦ୍ବିପାକ୍ଷିକ ଚୁକ୍ତିକୁ ଅନୁମୋଦନ ଦିଆଯାଇଛି। ଚୁକ୍ତି ଦ୍ବାରା ଦୁଇଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କ, ଛାତ୍ର, କୁଶଳୀ କାରିଗର, ବ୍ୟବସାୟୀଙ୍କ ଚଳପ୍ରଚଳ ସୁଗମ ହେବ। ଏହା ସହ ଉଭୟ ଦେଶ ମଧ୍ୟରେ ଅବ୍ୟବସ୍ଥିତ ପ୍ରବାସର ମଧ୍ୟ ସମାଧାନ ହୋଇପାରିବ। ସେହିଭଳି ନ୍ୟୁଜିଲ୍ୟାଣ୍ଡର ଅକ୍‌ଲ୍ୟାଣ୍ଡ ଠାରେ ଭାରତୀୟ ଦୂତାବାସ ଖୋଲିବା ନିଷ୍ପତ୍ତିକୁ ଅନୁମୋଦନ ଦିଆଯାଇଛି। ଏହି ନିଷ୍ପତ୍ତି ଆସନ୍ତା ୧୨ ମାସ ମଧ୍ୟରେ ସଂପୂର୍ଣ୍ଣ ହେବ। ସେହିଭଳି ମାଲେସିଆ ଓ ଭାରତ ମଧ୍ୟରେ ସୂଚନା ପ୍ରସାରଣ କ୍ଷେତ୍ରରେ ବିକାଶ ନିମନ୍ତେ ୭ ନଭେମ୍ବର ୨୦୨୩ରେ ଏକ ଦ୍ବିପାକ୍ଷିକ ଚୁକ୍ତି ହୋଇଥିଲା। ଏହି ଚୁକ୍ତିକୁ କ୍ୟାବିନେଟ୍‌ ମୋହର ମାରିଛି। ଏହାପରେ ପ୍ରସାର ଭାରତୀର ପ୍ରସାରଣ ସମଗ୍ର ବିଶ୍ବରେ ୪୬ଟି ଦେଶକୁ ବୃଦ୍ଧି ପାଇଛି।