ଅଚଳାବସ୍ଥା‌ ଭିତରେ ୩ ବିଲ୍‌ ଗୃହୀତ; ରାଜ୍ୟସଭାରେ ଦୁଇଟି, ଲୋକସଭାରେ ଗୋଟିଏ

ନୂଆଦିଲ୍ଲୀ : ସଂସଦର ଉଭୟ ଗୃହ ଆଜି ପେଗାସସ୍ ଗୁଇନ୍ଦାଗିରି ଏବଂ ନୂଆ କୃଷି ଆଇନ ପ୍ରତ୍ୟାହାରକୁ ନେଇ ବାରମ୍ବାର ମୁଲତବୀ ହୋଇଛି। ଗତ ୧୯ ତାରିଖ‌ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲେ ମଧ୍ୟ ଦୁଇଗୃହ ଏଯାଏଁ ସ୍ବାଭାବିକ ହୋଇପାରି ନାହିଁ। ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଦଳଗୁଡ଼ିକ ଅଡ଼ି ବସିଛନ୍ତି। ତେବେ ଏହି ଅଚଳାବସ୍ଥା ଭିତରେ ମଧ୍ୟ ଆଜି ଦୁଇଟି ବିଲ୍‌ ଗୃହୀତ ହୋଇଛି। ପୂର୍ବରୁ ଲୋକସଭାରେ ଫ୍ୟାକ୍ଟରିଂ ରେଗୁଲେସନ୍ (ସଂଶୋଧନ) ବିଲ୍‌ ୨୦୨୧ ଗୃହୀତ ହୋଇଥିବାବେଳେ ଆଜି ରାଜ୍ୟସଭାରେ ଏହା ଗୃହୀତ ହୋଇଛି। ଏହି ବିଲ୍ ଆଇନରେ ପରିଣତ ହେଲେ ଏମଏସଏମଇ କ୍ଷେତ୍ରର ଉଦ୍ୟୋଗୀମାନେ ଉପୃତ ହେବେ। ସେହିଭଳି ରାଜ୍ୟସଭାରେ ନଡିଆ ବିକାଶ ବୋର୍ଡ (ସଂଶୋଧନ) ବିଲ୍ ୨୦୨୧ ମଧ୍ୟ ଗୃହୀତ ହୋଇଛି। ‌ଏୟାରପୋର୍ଟସ ଇ‌କୋନୋମିକ୍ ରେଗୁଲେଟୋରି ଅଥରିଟି ଅଫ୍ ଇଣ୍ଡିଆ (ସଂଶୋଧନ) ବିଲ ୨୦୨୧କୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଗତ କରିଥିଲେ। ବାଚନିକ ଭୋଟରେ ଏହି ବିଲ୍‌ ଲୋକସଭାରେ ଗୃହୀତ ହୋଇଛି। ବିରୋଧୀ ସାଂସଦମାନେ କୃଷି ଆଇନ ଏବଂ ପେଗାସସ୍ ଗୁଇନ୍ଦାଗିରିକୁ ବିରୋଧ କରି ସଂସଦ ଭବନ ପରିସରରେ ଗାନ୍ଧୀମୂର୍ତ୍ତି ନିକଟରେ ପ୍ରତିବାଦ କରିଥିଲେ। ଆଜି ଶୂନ୍ୟକାଳରେ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କେୟା ନାଇଡ଼ୁ ସାଂସଦ ଓ ବିଧାୟକମାନଙ୍କ ସ୍ବାଧୀକାର ଓ ସୁରକ୍ଷା ସଂପର୍କରେ ସୁପ୍ରିମ କୋର୍ଟ ଦେଇଥିବା ରାୟ ସଂପର୍କରେ ଉଲ୍ଲେଖ କରିଥିଲେ।

ରାଜ୍ୟସଭାରେ ‘ଖେଲା ହବେ’ ସ୍ଲୋଗାନ ବିରୋଧୀ ସଦସ୍ୟମାନେ ଦେଇଥିଲେ। ବିରୋଧୀଙ୍କ ସ୍ଳୋଗାନ ଭିତରେ ବିଦେଶ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ରାଜ୍ୟସଭାରେ ବିବୃତି ରଖିଥିଲେ। ସଂସଦରେ ଅଚଳାବସ୍ଥା ଲାଗି ରହିଥିବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ରାଜ୍ୟସଭାରେ ବିଜେପିର ନେତା ପୀୟୂଷ ଗୋୟଲ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେଙ୍କୁ ଭେଟିଥିଲେ। ତେବେ ଉଭୟ ଗୃହକୁ ଶେଷରେ ଶୁକ୍ରବାର ୧୧ଟା ଯାଏ ମୁଲତବୀ ରଖାଯାଇଛି।

ସମ୍ବନ୍ଧିତ ଖବର