ଶ୍ରୀନଗର:  ଗୁରୁବାର ବିଳମ୍ବିତ ସଂଧ୍ୟାରେ ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର କାଜିଗୁଣ୍ଡ ଅଞ୍ଚଳରେ ତିନିଜଣ ସ୍ଥାନୀୟ ବିଜେପି ନେତାଙ୍କ ଉପରକୁ ଅଜଣା ଆତତାୟୀ ଗୁଳି କରି ଫେରାର୍ ହୋଇଯାଇଛନ୍ତି। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣାକୁ ନିଶ୍ଚିତ କରି କୁଲଗାମ ପୁଲିସ କହିଛି ଯେ ମୃତକମାନେ ହେଲେ ଫିଦା ହୁସେନ୍ ୟାଟୁ, ଉମର ରାମଜାନ ହଜନ ଏବଂ ଉମର ରସିଦ ବେଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ନିନ୍ଦା କରିଛନ୍ତି। ତିନି ଯୁବକର୍ମକର୍ତ୍ତାଙ୍କ ବିୟୋଗରେ ସେ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Advertisment

ଗୁରୁବାର କାଜିଗୁଣ୍ଡର ଓ୍ବାଇକେ ପୋରା ଅଞ୍ଚଳରେ ଏହି ଘଟଣା ଘଟିଛି। ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ ଗୁରୁବାର ସନ୍ଧ୍ୟା ପ୍ରାୟ ୮.୨୦ ସମୟରେ ଏହି ୩ ଜଣ ଏକ କାରରେ ଆସୁଥିବା ଆତତାୟୀମାନେ ସେମାନଙ୍କ ଗାଡ଼ି ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ।

ଏହାପରେ ଗୁରୁତର ଅବସ୍ଥାରେ ତିନି ବିଜେପି କର୍ମୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଆକ୍ରମଣକାରୀମାନେ ଏକ ଆଲ୍ଟୋ କାରରେ  ଘଟଣାସ୍ଥଳରୁ  ପଳାୟନ କରିଥିବା ସ୍ଥାନୀୟ ଲୋକମାନେ ପୁଲିସକୁ ସୂଚନା ଦେଇଥିଲେ।

ୱାଇକେ ପୋରାର ବାସିନ୍ଦା ଫିଦା ହୁସେନ୍ ୟାଟୁ ଭାରତୀୟ ଜନତା ଯୁବ ମୋର୍ଚ୍ଚା (ବିଜେଓ୍ୱାଇଏମ୍)ର ଜିଲ୍ଲା ସାଧାରଣ ସମ୍ପାଦକ ଥିଲେ। ଅନ୍ୟ ଦୁଇ ମୃତକ ଉମର ରମଜାନ ହଜନ ଏବଂ ଉମର ରସିଦ ବେଗ  ମଧ୍ୟ ସ୍ଥାନୀୟ ବିଜେପି କର୍ମୀ ଥିଲେ।