ଶ୍ରୀନଗର: ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଆଜି (ସୋମବାର)ଠାରୁ ୩ ଦିନିଆ ଜି-୨୦ ସମ୍ମଳିନୀ ଆରମ୍ଭ ହେବାକୁ ଯାଉଛି । ଜି-୨୦ର ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ୬୦ରୁ ଅଧିକ ପ୍ରତିନିଧି ଯୋଗ ଦେଉଥିବା ବେଳେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀନଗର ସମ୍ମିଳନୀ ସମେସ୍ତ ସମସ୍ତ କାର୍ଯ୍ୟକ୍ରମ ଯଥାରୀତି ହେବ, କେବଳ ଜି-୨୦ ପ୍ରତିନିଧି ଦଳଙ୍କ ଗୁଲମାର୍ଗ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ପ୍ରତିନିଧି ଦଳ ଗୁଲମାର୍ଗ ବଦଳରେ ଅନ୍ୟ କେତେକ ସ୍ଥାନକୁ ଗସ୍ତ କରିବେ । ଗୁଲମାର୍ଗରେ ୨୬/୧୧ (ମୁମ୍ବାଇ ଆକ୍ରମଣ) ଭଳି କାଣ୍ଡ କରିବାକୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଓ ପାକ୍ ଆତଙ୍କବାଦୀଙ୍କ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି। ଗୁଲମାର୍ଗରେ ଜୈସ୍ ଓ ହିଜବୁଲ ଆତଙ୍କବାଦୀଙ୍କବଡ଼ ଧରଣର ଆକ୍ରମଣ ଯୋଜନା ନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ ତଲାସୀ ଅଭିଯାନ ବ୍ୟାପକ ହୋଇଛି। ପାକ୍ ଆତଙ୍କବାଦୀଙ୍କୁ କିଛି ସ୍ଥାନୀୟ ବାସିନ୍ଦା ସହଯୋଗ ଯୋଗାଉଥିବା ଜଣାପଡ଼ିଛି।ଆତଙ୍କବାଦୀଙ୍କ ପାଖରେ ଅସ୍ତ୍ର ପହଞ୍ଚାଇବା ଏବଂ ସେମାନଙ୍କୁ ସୁରକ୍ଷା ବାହିନୀର ଗତିବିଧି ସଂପର୍କରେ ଜଣାଇବା ପାଇଁ ନିୟୋଜିତ ଥିବା ଏକ ନେଟ୍ୱର୍କର ମଧ୍ୟ ପର୍ଦ୍ଦାଫାସ ହୋଇଛି।
ଗୁଲମାର୍ଗ କାର୍ଯ୍ୟକ୍ରମ ବାତିଲ ହେଲା
ପ୍ରତିନିଧି ଦଳ ନୂଆ ଅଂଚଳ ଗସ୍ତ କରିବେ
ଜୈସ୍ ଆତଙ୍କବାଦୀ ଗିରଫ, ଅନୁପ୍ରବେଶ ଉଦ୍ୟମ ପଣ୍ଡ
ସୁରକ୍ଷା ଦୃଷ୍ଟିରୁ ଜି-୨୦ ପ୍ରତିନିଧି ଦଳଙ୍କ ଗୁଲମାର୍ଗ ଗସ୍ତକୁ ବାତିଲ କରି କେତେକ ନୂଆସ୍ଥାନକୁ ଏଥିରେ ସାମିଲ କରାଯାଇଛି। ସୁରକ୍ଷା ବାହିନୀ ଆଜି ଜୈସ୍ ଏ ମହମ୍ମଦ ଆତଙ୍କବାଦୀ ସଂଗଠନର ଜଣେ ଆତଙ୍କୀକୁ ଗିରଫ କରିବା ସହ ସେନାର ଗତିବିଧି ସଂପର୍କରେ ପାକିସ୍ତାନକୁ ଖବର ଦେଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛନ୍ତି। ପୁଞ୍ଚରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଜଣେ ପାକ୍ ଆତଙ୍କବାଦୀ ସେନା ଗୁଳିରେ ନିହତ ହୋଇଛି । ଶ୍ରୀନଗରରେ ସମସ୍ତ ସମ୍ବେଦନଶୀଳ ଅଂଚଳ ଉପରେ ସିସିଟିଭି ଓ ଡ୍ରୋନ୍ ମାଧ୍ୟମରେ ଅହରହ ନଜର ରଖାଯାଉଛି। ମେରାଇନ କମାଣ୍ଡୋ ଓ ଏନ୍ଏସ୍ଜି (ଜାତୀୟ ସୁରକ୍ଷା ବାହିନୀ)ଙ୍କୁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି। ମେରାଇନ କମାଣ୍ଡୋଙ୍କୁ ଡାଲ ହ୍ରଦ ଏବଂ ଶେର-ଏ-କାଶ୍ମୀର ଇଣ୍ଟରନ୍ୟାସନାଲ କନଭେନ୍ସନ ସେଣ୍ଟର (ଏସ୍କେଆଇସିସି)ରେ ମୁତୟନ କରାଯାଇଛି। ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ସହ ଏନ୍ଏସ୍ଜିମାନଙ୍କୁ ପୂରା ଅଞ୍ଚଳର ସୁରକ୍ଷା ଦାୟିତ୍ବ ଅର୍ପଣ କରାଯାଇଛି।
୩ୟ ଜି୨୦ ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀର ଏହି ସମ୍ମିଳନୀକୁ ସୁରକ୍ଷିତ ଆୟୋଜନ କରିବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଂଜ ହୋଇଛି। ୨୦୧୯ରେ ଜମ୍ମୁ-କାଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ସହ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା ପରେ ଏହା ହେଉଛି ଏଠାରେ ଅନୁଷ୍ଠିତ ହେଉଥିବା ସବୁଠାରୁ ବଡ଼ ଅନ୍ତର୍ଜତୀୟ କାର୍ଯ୍ୟକ୍ରମ। ଭାରତର କାଶ୍ମୀର ନୀତିକୁ ବିରୋଧ କରି ଆସୁଥିବା ଚୀନ୍ ଓ ତୁର୍କୀ ଏହି ସମ୍ମିଳନୀରେ ଯୋଗ ଦେଉନଥିବା ବେଳେ ସାଉଦି ଆରବ ନାମ ପଞ୍ଜୀକରଣ କରାଇନାହିଁ।