ନୂଆଦିଲ୍ଲୀ: ସେପ୍ଟେମ୍ବର ୯ରୁ ୧୦ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ‘ଜି-୨୦’ ଶିଖର ସମ୍ମିଳନୀର କାର୍ଯ୍ୟକ୍ରମ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୫ରୁ ଅଧିକ ନେତାମାନଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିବେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।
ସେପ୍ଟେମ୍ବର ୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀ ମରିସସ୍, ବାଂଲାଦେଶ ଓ ଆମେରିକାର ନେତାମାନଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନ କରିବେ।
ସେପ୍ଟେମ୍ବର ୯ ତାରିଖ ଦିନ ଇଂଲଣ୍ଡ୍, ଜାପାନ, ଜର୍ମାନି ଓ ଇଟାଲିର ନେତାମାନଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀ ଦ୍ବିପାକ୍ଷିକ ଆଲୋଚନା କରିବେ।
ପୁଣି, ସେପ୍ଟେମ୍ବର ୧୦ ତାରିଖ ଦିନ ପ୍ରଧାମନ୍ତ୍ରୀ ମୋଦୀ ଫରାସୀ ରାଷ୍ଟ୍ରପତି ମାକ୍ରୋନ୍ଙ୍କ ସହିତ ମଧ୍ୟାହ୍ନ ଭୋଜନ ସମୟରେ ଆଲୋଚନା କରିବେ। ଏହାଛଡ଼ା, ସେଦିନ ପ୍ରଧାନମନ୍ତ୍ରୀ ମୋଦୀ କମୋରସ୍, ତୁର୍କୀ, ‘ୟୁଏଇ’, ଦକ୍ଷିଣ କୋରିଆ, ‘ଇୟୁ/ଇସି’, ବ୍ରାଜିଲ୍ ଓ ନାଇଜେରିଆ ନେତାମାନଙ୍କ ସହିତ ମଧ୍ୟ ଦ୍ବିପାକ୍ଷିକ ଆଲୋଚନା କରିବେ।
ସେପ୍ଟେମ୍ବର ୯ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଆନ୍ତର୍ଜାତିକ କାର୍ଯ୍ୟକ୍ରମ ନିମନ୍ତେ ଦିଲ୍ଲୀରେ ସାଜସଜ୍ଜା କରାଯିବା ସହିତ ମହାତ୍ମାଗାନ୍ଧୀଙ୍କ ସମାଧିସ୍ଥଳ ରାଜଘାଟରେ ସାପ ଓ ମାଙ୍କଡ଼ ଧରାଳିଙ୍କୁ ମୁତୟନ କରାଯାଇଛି। ଗରମ ହେଉଥିବାରୁ ସେଠାରେ ଥିବା ଗାତରୁ ସାପମାନେ ବାହାରି ଆସିବାର ସମ୍ଭାବନା ଅଛି। ତା’ଛଡ଼ା ସେଠାରେ ମାଙ୍କଡ଼ମାନଙ୍କ ଦୌରାତ୍ମ୍ୟ ବି କମ୍ ନୁହେଁ। ଅତିଥିମାନଙ୍କ ପ୍ରତି ଯେମିତି ଏମାନଙ୍କଦ୍ବାରା କିଛି ଅସୁବିଧା ନ ହୁଏ ସେଥିପ୍ରତି ଏମାନେ ଯତ୍ନବାନ ହେବେ।