ସୀୱାନ୍‌: ରବିବାର ଦିନ ବିହାରର ସୀୱାନ୍‌ ଜିଲ୍ଲା ଅନ୍ତର୍ଗତ ଲାକାରି ନବୀଗଞ୍ଜ ଅଞ୍ଚଳର ବାଲା ଗାଁରେ ବିଷାକ୍ତ ମଦ ପିଇବାରୁ ପ୍ରାୟ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଆଉ ୬ଜଣ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

Advertisment

ଘଟଣା ସଂକ୍ରାନ୍ତରେ ଅବଗତ କରାଯିବା ପରେ, ଜିଲ୍ଲା ମାଜିଷ୍ଟ୍ରେଟ୍‌ ଅମିତ କୁମାର ପାଣ୍ଡେ ଗତ ମଧ୍ୟରାତ୍ରରେ ସୀୱାନ୍‌ସ୍ଥିତ ସଦର ହସ୍ପିଟାଲ୍‌ରେ ପହଞ୍ଚି ଘଟଣା ସଂକ୍ରାନ୍ତରେ ଅନୁସନ୍ଧାନ କରିଥିଲେ।

ଗଣମାଧ୍ୟମକୁ ଜିଲ୍ଲା ମାଜିଷ୍ଟ୍ରେଟ୍‌ ପାଣ୍ଡେ କହିଛନ୍ତି ଯେ, ସନ୍ଦିଗ୍ଧ ଅବସ୍ଥାରେ ପ୍ରାୟ ୩ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୬ଜଣ ସାଙ୍ଘାତିକ ଅସୁସ୍ଥ ‌ହୋଇପଡ଼ିଛନ୍ତି। ସେମାନଙ୍କୁ ସୀୱାନ୍‌ ସଦର ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଆମେ ଘଟଣାର ତଦନ୍ତ କରୁଛୁ।

publive-image Image Courtesy of Republic World

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଘଟଣାରେ ସମୁଦାୟ ୧୦ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

କିନ୍ତୁ, ମୃତ୍ୟୁର ପ୍ରକୃତ କାରଣ କ’ଣ ତାହା ସେ କହିନାହାନ୍ତି। ସେ କହିଛନ୍ତି ଯେ, ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ।

ସଂଗୃହୀତ ସୂଚନା ଅନୁସାରେ, ୩ ମୃତ ବ୍ୟକ୍ତିଙ୍କ ମଧ୍ୟରୁ ୨ଜଣ ହେଉଛନ୍ତି, ବାଲା ଗାଁର ଜନକ ପ୍ରସାଦ ଓ ନରେଶ ବିନ୍‌। ପେଟ ବିନ୍ଧୁଛି ଓ ଆଖିକୁ ଅସ୍ପଷ୍ଟ ଦେଖାଯାଉଛି ବୋଲି ରାତି ଅଧରେ ସେମାନେ କହିଥିଲେ। ଚିକିତ୍ସା ନିମନ୍ତେ ଘର ଲୋକେ ସେମାନଙ୍କୁ ଡାକ୍ତରଖାନା ନେଇଥିଲେ। କିନ୍ତୁ, ସେମାନଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ।

ଉଲ୍ଲେଖଯୋଗ୍ୟ, ୨୦୨୨ ଡିସେମ୍ବରରେ ବିହାରର ଛାପ୍ରା ଜିଲ୍ଲାରେ ବିଷାକ୍ତ ମଦ ପିଇ ପ୍ରାୟ ୭୦ଜଣ ଲୋକ ପ୍ରାଣ ହରାଇଥିଲେ। ଏହି ମାମଲାରେ ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌’ ଟିମ୍‌ (ଏସ୍‌ଆଇଟି) ଜଣେ ମଦ ଚୋରାଚାଲାଣକାରୀଙ୍କୁ ଗିରଫ କରି ତାଙ୍କ ନିକଟରୁ ନଗଦ ୨.୧୭ ଲକ୍ଷ ଟଙ୍କା ଉଦ୍ଧାର କରିଥିଲା।