ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲ୍ଗାମ ଜିଲ୍ଲା ଅନ୍ତର୍ଗତ ଖୁଦଓ୍ଵାନି ଅଞ୍ଚଳରେ ଆଜି ସେନା ଉପରେ ଭୟଙ୍କର ପଥର ମାଡ଼ ହୋଇଥିବା ବେଳେ ସେନାର ଗୁଳିମାଡ଼ରେ ୩ ଜଣ ସ୍ଥାନୀୟ ଲୋକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ପଥର ପିଙ୍ଗାଳି ଅଛନ୍ତି। ସୂଚନା ମୁତାବକ, ସମ୍ଭାବ୍ୟ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ଲାଗି ଆଜି ସେନା ପକ୍ଷରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରାଯାଉଥିଲା। ଏହି ସମୟରେ ସ୍ଥାନୀୟ ଲୋକମାନେ ସେନା ଉପରକୁ ହଠାତ୍ ପଥରମାଡ଼ କରିଥିଲେ। ସେମାନଙ୍କୁ ଡରାଇବା ପାଇଁ ସେନା ପକ୍ଷରୁ ଫାଙ୍କା ଗୁଳିଚାଳନା କରାଯିବା ସତ୍ତ୍ୱେ ସେମାନେ ଏହାକୁ ଖାତିର ନ କରି ଅଧିକ ଆକ୍ରମଣାତ୍ମକ ହୋଇଉଠିଥିଲେ। ଫଳରେ ଅନନ୍ୟୋପାୟ ହୋଇ ସେନା ପକ୍ଷରୁ ଗୁଳିଚାଳନା କରାଯାଇଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ୧୬ ବର୍ଷୀୟା ନାବାଳିକା ଅନ୍ଦଲିବ୍ଙ୍କ ସମେତ ସକିର ଅହମ୍ମଦ (୨୨) ଓ ଇର୍ଷାଦ ମଜିଦ୍ (୨୦) ରହିଛନ୍ତି। ଅନ୍ୟପକ୍ଷରେ ମୁହାଁମୁହିଁ ଆକ୍ରମଣରେ ୩ ଜଣ ସେନା ଓ ମୋଟ ୧୩ ଜଣ ଲୋକ ଆହତ ହୋଇଛନ୍ତି। ତେବେ ଦୁଇଜଣଙ୍କ ଦେହରେ ଗୁଳି ବାଜିଥିବାରୁ ସେମାନଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
ହିଜ୍ବୁଲ୍ ମୁଜାହିଦ୍ଦିନ୍ର କମାଣ୍ଡର ବୁରହାନ୍ ଓ୍ଵାନିର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଚ୍ଛିନ୍ନତାବାଦୀଙ୍କ ପକ୍ଷରୁ ଆଜି ବନ୍ଦ ଡାକରା ଦିଆଯାଇଥିଲା। ସେନା ସୁରକ୍ଷା ବାହିନୀ ଆଜି ସକାଳେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ତେବେ ଗୁଳିଚାଳନା ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ତେଣୁ ଆଗକୁ ବଡ଼ଧରଣର ହିଂସାକାଣ୍ଡ ଘଟିପାରେ ବୋଲି ଆଶଙ୍କା ରହିଛି। ଅନ୍ୟପକ୍ଷରେ ଆଗୁଆ ପଦକ୍ଷେପ ସ୍ୱରୂପ ସରକାରଙ୍କ ପକ୍ଷରୁ କୁଲଗାମ୍ ଜିଲ୍ଲା ସମେତ ଅନନ୍ତନାଗ, ସୋପିଆନ୍ ଓ ପୁଲ୍ଓ୍ଵାମାରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି।