ସାନ୍ତ୍ରାଗାଛି ଷ୍ଟେସନ୍‌ରେ ଦଳାଚକଟା, ୨ ମୃତ, ୧୪ ଆହତ

କୋଲ୍‌କାତା: ପଶ୍ଚିମବଙ୍ଗର ସାନ୍ତ୍ରାଗାଛି ରେଳଷ୍ଟେସନ୍‌ରେ ଦଳାଚକଟା ଯୋଗୁ ୨ ଜଣ ପ୍ରାଣ ହରାଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଷ୍ଟେସନ୍‌ର ଏକ ଫୁଟ୍‌ ଓଭରବ୍ରିଜ୍‌ରେ ଦଳଚକଟା ପରିସ୍ଥିତି ଉପୁଜିଥିବା ଅଧିକାରୀମାନେ ଦର୍ଶାଇଛନ୍ତି। ସେମାନଙ୍କ କହିବାନୁଯାୟୀ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଷ୍ଟେସନ୍‌ରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍ ଏବଂ ଦୁଇଟି ଇଏମ୍‌ୟୁ ଲୋକାଲ୍‌ ଟ୍ରେନ୍ ଏକସଙ୍ଗେ ପହଞ୍ଚିଥିଲା। ଏହି ତିନୋଟି ଟ୍ରେନ୍‌କୁ ଅପେକ୍ଷା କରି ରହିଥିବା ଯାତ୍ରୀମାନେ ହଠାତ୍‌ ଧାଇଁବା ଆରମ୍ଭ କରିଥିଲେ। ନିଜ ନିଜ ଟ୍ରେନ୍‌ ଧରିବା ପାଇଁ ପ୍ଲାଟ୍‌ଫର୍ମ ଆଡ଼କୁ ଧାଉଁଥିବା ବେଳେ ଫୁଟ୍‌ ଓଭରବ୍ରିଜ୍‌ରେ ଦୁର୍ଘଟଣା ଘଟିଥିଲା। ଭିଡ଼ ଏତେ ହୋଇଥିଲା ‌େଯ କିଛି ଯାତ୍ରୀ ତଳେ ପଡ଼ିଯାଇଥିଲେ। ଅନ୍ୟ ଯାତ୍ରୀମାନେ ସେମାନଙ୍କ ଉପରେ ଚଢ଼ିଯାଇଥିଲେ।ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି। ସେହିଭଳି ଆହତ ହୋଇଥିବା ୧୪ ଜଣ ଯାତ୍ରୀମାନଙ୍କ ପାଇଁ ୧ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ସନ୍ଧ୍ୟାବେଳେ ନାଗରକୋଏଲ-ଶାଲିମାର ଏକ୍ସପ୍ରେସ୍‌ ଟ୍ରେନ୍ ଓ ଦୁଇଟି ଇଏମ୍‌ୟୁ ଟ୍ରେନ୍ ପହଞ୍ଚିଥିଲା। ଏହାର ସ୍ବଳ୍ପ ସମୟ ପରେ ଶାଲିମାର-ବିଶାଖାପାଟଣା ଏକ୍ସପ୍ରେସ୍‌ ଏବଂ ସନ୍ତ୍ରାଗାଛି-ଚେନ୍ନାଇ ଏକ୍ସପ୍ରେସ୍‌ ପହଞ୍ଚିବାର ଥିଲା। ଏହିସବୁ ଟ୍ରେନ୍ ପ୍ଲାଟ୍‌ଫର୍ମ ନମ୍ବର ୨ ଓ ୩ରେ ଲାଗିବାର ଧାର୍ଯ୍ୟ ହୋଇଥିଲା। ତେଣୁ ଯାତ୍ରୀମାନେ ଏହି ଦୁଇଟି ପ୍ଲାଟ୍‌ଫର୍ମ ମଧ୍ୟରେ ଧାଁଦଉଡ଼ କରିଥିଲେ। ଦକ୍ଷିଣ ପୂର୍ବ ରେଳପଥ ଅଧୀନ ହାଓଡ଼ା ଷ୍ଟେସନ୍‌ଠାରୁ ୧୦ କିଲୋମିଟର ଦୂର ସନ୍ତ୍ରାଗାଛି ଷ୍ଟେସନ୍‌ରେ ଏହି ଘଟଣା ଘଟିଥିବ‌ା ରେଳପଥର ମୁଖପାତ୍ର ସଞ୍ଜୟ ଘୋଷ ସୂଚନା ଦେଇଛନ୍ତି। ୧୪ ଆହତ ଯାତ୍ରୀଙ୍କ ମଧ୍ୟରୁ ୧୧ ଜଣଙ୍କୁ ହାଓଡ଼ା ଜେନେରାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଷ୍ଟେସନ୍‌ରେ ପ୍ରାଥମିକ ଚିକିତ୍ସା କରାଯାଇଛି। ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରେଳପଥକୁ ଦାୟୀ କରିବା ସହ ରେଳପଥର ଖାମଖିଆଲି ଯୋଗୁ ଏଭଳି ଘଟଣା ଘଟିଲା ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର