ନୂଆଦିଲ୍ଳୀ:  ଦିଲ୍ଲୀର ଏକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବିସ୍ଫୋରଣ ଘଟି ଅତି କମରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଶନିବାର ସକାଳେ ନରେଲା ଶିଳ୍ପାଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।

Advertisment

ଦିଲ୍ଲୀ ପୁଲିସର ସୂଚନାନୁସାରେ, ସେମାନେ ଆଜି ଭୋର୍‌ ପ୍ରାୟ ୩.୩୫ ସମୟରେ ଏହି ଘଟଣା ସମ୍ପର୍କରେ ଏକ କଲ ପାଇଥିଲେ। ଏହି ଅଗ୍ନିକାଣ୍ଡ ଘଟିବା ପରେ ଚଉଦଟି ଅଗ୍ନିଶମ ବାହିନୀକୁ ସେବାରେ ନିୟୋଜିତ କରାଯାଇଛି। ଅପରେସନ୍ ଏବେ ମଧ୍ୟ ଜାରି ରହିଛି ବୋଲି ଦିଲ୍ଲୀ ଅଗ୍ନିଶମ ସେବା (ଡିଏଫଏସ୍) ଅଧିକାରୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି।

ଏହି ଅଧିକାରୀ ଜଣକ ଆହୁରି ବି କହିଛନ୍ତି ଯେ ବିଲ୍ଡିଂ ଭିତରୁ ଏବେ ସୁଦ୍ଧା ୯ ଜଣଙ୍କୁ ଉଦ୍ଧାର କରାଯାଇ ନରେଲାସ୍ଥିତ ଏସ୍‌ଏଚ୍‌ଆର୍‌ସି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ତିନିଜଣ, ଶ୍ୟାମ (୨୪), ରାମ ସିଂ (୩୦) ଏବଂ ବେରପାଲ (୪୨)  ମୃତ ଘୋଷଣା ହୋଇଥିବା ବେଳେ ଅନ୍ୟମାନେ ଚିକିତ୍ସିତ ହେଉଛନ୍ତି।

ସେ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଗୋଟିଏ ପାଇପ ଲାଇନରୁ ଗ୍ୟାସ ଲିକ ହେବା ପରେ ଏହି ଅଗ୍ନିକାଣ୍ଡ ଆରମ୍ଭ ହୋଇଛି। ଉପଯୁକ୍ତ ବିଭାଗ ଅଧୀନରେ ଏକ ମାମଲା ରୁଜୁ ହୋଇ ଏନେଇ ଏବେ ତଦନ୍ତ ଚାଲିଛି।