ବରଯାତ୍ରୀ ଯିବାବେଳେ ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମରରେ ଲାଗିଗଲା ରୋଷଣୀ, ୩ ଜଣଙ୍କର ମୃତ୍ୟୁ

ଲଖନଉ: ବିବାହ ଶୋଭାଯାତ୍ରା ପାଲଟିଲା ଶେଷ ଯାତ୍ରା | ଅନ୍ୟର ଜୀବନରେ ରଙ୍ଗ ଦେଉ ଦେଉ ଲିଭିଗଲା ଜୀବନ ବତୀ | ଉତ୍ତରପ୍ରଦେଶ ଲଖନଉର କାକୋରିରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ବୁଧବାର ଦିନ ଲଖନଉର କାକୋରି ଅଂଚଳରେ ଥିବା ରାନୀଖେଡା ଗ୍ରାମର ବେଚାଲଲ ଲୋଧିଙ୍କ ଘରେ ଏକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥିପାଇଁ ବର ଶୋଭାଯାତ୍ରା ଗ୍ରାମର ଆରମ୍ଭରୁ ବାହାରିଥିଲା |

ଡିଜେ ସାଙ୍ଗକୁ ମୁଣ୍ଡରେ ରୋଡ଼ ଲାଇଟ ବୋହି କିଛି ଲୋକ ଯାଉଥିଲେ | ହଠାତ ରୋଡ ଲାଇଟ ବୋହି ଯାଉଥିବା ଜଣେ ଲୋକ ମୁକୁଳା ଅବସ୍ଥାରେ ପଡିଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସିଥିଲେ | ଏହା ପରେ ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ବ୍ୟକ୍ତିଙ୍କୁ ବିଦ୍ୟୁତ ଝଟକା ଲାଗିଥିଲା | ଏଥିରେ ୧୦ ଜଣ ଗୁରୁତର ହୋଇପଡିଥିଲେ |

ଗୁରୁତରମାନଙ୍କୁ ଲଖନଉ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା | ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତିନି ଜଣଙ୍କର ମୃତ୍ୟୁ ହୋଇଯାଇଥିଲା | ମୃତକ ତିନିଜଣ ରୋଡ଼ ଲାଇଟ ବୋହିଥିବା କମଳ, ରାଜୁ ଓ ଜଗଦୀଶ ହୋଇଥିବାବେଳେ ଅନ୍ୟ ୭ ଜଣଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି | ଏହି ଘଟଣାକୁ ନେଇ ଗ୍ରାମରେ ଦୁଃଖର ଲହରୀ ଖେଳିଯାଇଥିବାବେଳେ ପୁଲିସ ପହଂଚି ଘଟଣାର ତଦନ୍ତ କରୁଛି |

ସମ୍ବନ୍ଧିତ ଖବର