ଅହମଦାବାଦ: ଚାଲିଥିଲା ରଥଯାତ୍ରା, ଗଡୁଥିଲା ରଥ.. ଆଗେ ଆଗେ ଚାଲିଥିଲା ଶୋଭାଯାତ୍ରା । ସମସ୍ତେ ଜୟ ଜଗନ୍ନାଥ ନାରା ଦେଇ ଆଗକୁ ବଢୁଥିଲେ । ହେଲେ ହଠାତ୍ ସବୁକିଛି ଗଡ଼ବଡ଼ ହେଇଗଲା । ଭକ୍ତ ଭିଡ଼ ଭିତରେ ଅଣାୟତ୍ତ ହେଲେ ଗଜରାଜ । ଆଉ ଭକ୍ତଙ୍କ ଗହଳି ଭିତରୁ ବାହାରକୁ ଧାଇଁଲେ । ନା ମାହୁନ୍ତର କଥା ମାନିଲେ ନା ସ୍ଥିର ରହିଲେ । ଗଜରାଜଙ୍କ ଏଭଳି କାଣ୍ଡ ଦେଖି ଭୟରେ ଧାଇଁଲେ ଭକ୍ତ । ଏଭଳି ଏକ ଅଭାବନୀୟ ଘଟଣା ଆସିଛି ଅହମଦାବାଦ ରଥଯାତ୍ରାରୁ ।

Advertisment

ତେବେ ଅହମଦାବାଦ ରଥଯାତ୍ରା ଚାଲିଥିବା ବେଳେ ୩ଟି ହାତୀ ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ ଭକ୍ତଙ୍କ ଠେଲି ପଳାଇ ଯାଇଥିଲେ । ଶୋଭାଯାତ୍ରା ବେଳେ ଏପରି ଘଟିବା କାରଣରୁ ଭକ୍ତ ଆତଙ୍କିତ ହୋଇପଡିଥିଲେ ହେଁ ପରେ ୩ଟି ହାତୀକୁ ନିୟନ୍ତ୍ରଣକୁ ଅଣାଯାଇଥିଲା । ସେପଟେ ରଥଯାତ୍ରା ପାଇଁ ହେଉଥିବା ଶୋଭାଯାତ୍ରାରେ ହାତୀ ରହିବାର ପରମ୍ପରା ରହିଛି । ତେବେ ଚଳିତ ବର୍ଷ ଶୋଭାଯାତ୍ରାରେ ୧୮ଟି ହାତୀ, ୧୦୦ ଟ୍ରକ, ସଂକୀର୍ତ୍ତନ ମଣ୍ଡଳୀ ସହ ୩୦ଟି ଆଖଡା ସାମିଲ ଅଛନ୍ତି । ଯେଉଁମାନେ ଦିନ ତମାମ ୧୬ କିମି ବାଟ ଯିବେ । ୧୦୦ଟି ଟ୍ରକ୍ ବିଭିନ୍ନ ଥିମକୁ ନେଇ ସୁସଜ୍ଜିତ ବି ହୋଇଛି ।

ପବିତ୍ର ରଥଯାତ୍ରା ଉପଲକ୍ଷେ ଅହମଦାବାଦରେ ଗଡିଛି ରଥ । ଅହମଦାବାଦରେ ୧୪୮ ତମ ରଥଯାତ୍ରା ପାଳିତ ହୋଇଯାଇଛି । ଯେଉଁଠାରେ ଜଗନ୍ନାଥମୟ ହୋଇଛି ପୂରା ପରିବେଶ । ଭକ୍ତ ଭଗବାନଙ୍କର ମିଳନ ହୋଇଛି । ତିନି ରଥରେ ତିନି ଠାକୁରଙ୍କୁ ବସାଇ ରଥ ଟାଣିଛନ୍ତି ଭକ୍ତ । ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରଥଯାତ୍ରା ପହଣ୍ଡି ବିଧି କରିବା ସହ ଛେରା ପହଁରା କରିଥିଲେ ପରେ ରଥଟଣା ଆରମ୍ଭ ହୋଇଥିଲା । ସକାଳେ ଅମିତ ଶାହ ମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ।