ଦିଲ୍ଲୀ ଅଦାଲତରେ ୩ ଗ୍ୟାଙ୍ଗ୍‌ଷ୍ଟର ନିହତ, ଓକିଲ ବେଶରେ ଆସି ଦୁଇ ଅପରାଧୀ ଗୁଳି ଚଳାଇଲେ

ପୁଲିସର ପାଲଟା ଆକ୍ରମଣରେ ଅପରାଧୀଦ୍ବୟ ନିହତ, ଅଦାଲତର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ

ନୂଆଦିଲ୍ଲୀ : ଦିଲ୍ଲୀର ରୋହିଣୀ ଅଦାଲତରେ ଶୁକ୍ରବାର ଅଭାବନୀୟ ଘଟଣା ଘଟିଛି। ଦୁଇ ଗ୍ୟାଙ୍ଗ ମଧ୍ୟରେ ଗୁଳିକାଣ୍ଡ ଘଟି ୩ ଜଣ କୁଖ୍ୟାତ ଅପରାଧୀ ନିହତ ହୋଇଛନ୍ତି। କୋର୍ଟ ଭିତରେ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ବିପରୀତ ଗୋଷ୍ଠୀର ଦୁଇଜଣ ଅପରାଧୀ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କୁ ଗୁଳିକରି ହତ୍ୟା କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ଦିଲ୍ଲୀସ୍ଥିତ ରୋହିଣୀ ଅଦାଲତରେ ଶୁକ୍ରବାର କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ଗୋଗି ମାମଲାର ଶୁଣାଣି ଥିଲା। ସ୍ପେସାଲ ଫୋର୍ସର ସୁରକ୍ଷାକର୍ମୀମାନେ ଗ୍ୟାଙ୍ଗଷ୍ଟର ଗୋଗିକୁ ଏସକର୍ଟ କରି ତିହାର ଜେଲ୍‌ରୁ ଅଦାଲତକୁ ଆଣିଥିଲେ। ପୂର୍ବରୁ ତାକୁ ହତ୍ୟା କରିବା ପାଇଁ ତାର ବିରୋଧୀ ତିଲୁ ଗ୍ୟାଙ୍ଗ୍‌ ଷଡ଼ଯନ୍ତ୍ର କରିଥିଲା। ଏଥିପାଇଁ ସେମାନେ ପୂର୍ବ ପ୍ରସ୍ତୁତି କରିଥିଲେ। ଓକିଲ ପୋଷାକ ପିନ୍ଧି ତିଲୁ ଗ୍ୟାଙ୍ଗର ଦୁଇ ଜଣ ଅପରାଧୀ ଅଦାଲତ ପରିସରକୁ ଯାଇଥିଲେ। ଏହାପରେ ସେମାନେ ହଠାତ୍ ଜିତେନ୍ଦ୍ର ଗୋଗିଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଗୋଗି ନିହତ ହୋଇଥିଲା। ଅପରାଧୀ ଦ୍ବୟଙ୍କୁ କାବୁ କରିବା ପାଇଁ ପୁଲିସ ସେମାନଙ୍କ ଉପରକୁ ତୁରନ୍ତ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲା। ଏଥିରେ ତିଲୁ ଗ୍ୟାଙ୍ଗର ଦୁଇଜଣ ଯାକ ଅପରାଧୀ ନିହତ ହୋଇଥିଲେ ବୋଲି ଦିଲ୍ଲୀ ପୁଲିସ କମିସନର ରାକେଶ ଆସ୍ଥାନା ସୂଚନା ଦେଇଛନ୍ତି। ତେଣୁ ଏହି ଗୁଳିକାଣ୍ଡରେ ଗୋଗି ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସେ କହିଛନ୍ତି। ଗୁଳି ଶବ୍ଦ ଏବଂ ଗୁଳିକାଣ୍ଡକୁ ଦେଖିବା ପରେ ଅଦାଲତ ପରିସରରେ ଉପସ୍ଥିତ ଥିବା ଆଇନଜୀବୀ ଏବଂ ପୁଲିସ ବାହାରକୁ ଦୌଡ଼ିବା ଆରମ୍ଭ କରିଦେଇଥିଲେ।

ଏହି ଘଟଣା ଅଦାଲତ ପରିସରର ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ଛିଡ଼ା କରିଛି। ବିଚାରପତି ଏବଂ ଆଇନଜୀବୀମାନେ ଅଦାଲତରେ ଉପସ୍ଥିତ ଥିବା ସମୟରେ ଏଭଳି ଛାତିଥରା ଗୁଳିକାଣ୍ଡ ସେମାନଙ୍କ ଆଖି ଆଗରେ ଘଟିଛି। ଆଇନଜୀବୀ ପୋଷାକରେ ଏହି ଅପରାଧୀ ଦ୍ବୟ ଆସି ସେମାନଙ୍କ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କୁ ହତ୍ୟା କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଦୁଇ ଗ୍ୟାଙ୍ଗ ମଧ୍ୟରେ ଅନେକ ଦିନ ହେଲା ଛକାପଞ୍ଝା ଜାରି ରହିଥିଲା। ସେମାନଙ୍କ ମଧ୍ୟରେ ହୋଇଥିବା ଗୁଳିମାଡ଼ ଏବଂ ଆକ୍ରମଣରେ ଆଜି ସୁଦ୍ଧା ୨୫ ଜଣ ଲୋକ ନିହତ ହୋଇଛନ୍ତି। ଦୁଇ ଅପରାଧୀ ଗୋଗିକୁ ୩ଟି ଗୁଳି ମାଡ଼ କରିଛନ୍ତି। ଏହି ଘଟଣାରେ ମୋଟ ୩୦ଟି ଗୁଳି ଫୁଟିଛି। ଗୁଳିକାଣ୍ଡ ସମୟରେ କିଛି ବ୍ୟକ୍ତି ଆହତ ମଧ୍ୟ ହୋଇଛନ୍ତି।

ଗୋଗି ଓରଫ୍‌ ଜିତେନ୍ଦ୍ର ମାନ୍‌କୁ ଦିଲ୍ଲୀ ପୁଲିସ ଗତବର୍ଷ ମାର୍ଚ୍ଚରେ ଗିରଫ କରିଥିଲା। ତାକୁ ଗିରଫ କରିବା ଦିଲ୍ଲୀ ପୁଲିସ ପାଇଁ ଏକ ବଡ଼ ସଫଳତା ଥିଲା। ତେବେ ଆଜିର ଗୁଳିକାଣ୍ଡ ଘଟଣା ପରେ ଅଦାଲତରେ ସୁରକ୍ଷା ଅଭାବର ଅନେକ ଦିଗ ପଦାରେ ପଡ଼ିଯାଇଛି। ଅଦାଲତରେ ମେଟାଲ ଡିଟେକ୍ଟର କାର୍ଯ୍ୟ କରୁଥିଲା କି ନାହିଁ ତାହା ଉପରେ ପ୍ରଶ୍ନ ଉଠିଛି। ଯଦି କାମ କରୁଥିଲା ତାହେଲେ ଅପରାଧୀମାନେ କିଭଳି ଅଦାଲତ ଭିତରକୁ ବନ୍ଧୁକ ନେବାକୁ ସକ୍ଷମ ହେଲେ? ତେବେ ଏହା ତଦନ୍ତ ସାପେକ୍ଷ। ଏହା ଉପରେ ତୁରନ୍ତ ପ୍ରତିକ୍ରିୟା ଦେଇ ହେବ ନାହିଁ ବୋଲି ଆସ୍ଥାନା କହିଛନ୍ତି। କିନ୍ତୁ ଏହି ମାମଲାର ତଦନ୍ତ ଚାଲିଛି ଏବଂ କାହାରିକୁ ଛଡ଼ାଯିବ ନାହିଁ । ଦିଲ୍ଲୀ ପୁଲିସ ଗୁରୁତ୍ବର ସହିତ ଦାୟିତ୍ବ ସଂପାଦନ କରୁଛି। ଏଥିପାଇଁ ଦୁଇଜଣ ହତ୍ୟାକାରୀଙ୍କୁ ଅଦାଲତ ପରିସରରେ ସଫଳତାର ସହିତ ନିପାତ କରାଯାଇ ପାରିଛି। ବିସ୍ତୃତ ତଦନ୍ତ ପରେ ଏ ନେଇ ଅଧିକ କିଛି କୁହାଯାଇ ପାରିବ ବୋଲି ଅସ୍ଥାନା କହିଛନ୍ତି।

ସମ୍ବନ୍ଧିତ ଖବର