ଇମ୍ପାଲ: ମେଘାଳୟର ପୂର୍ବ ଜଏନ୍ତିଆ ପାର୍ବତ୍ୟ ଜିଲ୍ଲାରେ ଲୁମ୍ଥାରି ଗ୍ରାମରେ ଥିବା ଏକ ବେଆଇନ କୋଇଲା ଖଣିରେ ଫସି ରହିଥିବା କୋଇଲା ଖଣି ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇଛି। ଏହି ଖଣି ଭିତରକୁ ହଠାତ୍ ବନ୍ୟା ପାଣି ପଶିଯିବାରୁ ପ୍ରାୟ ୩୭୦ ଫୁଟ୍ ତଳେ ୧୫ ଜଣ ଖଣି ଶ୍ରମିକ ଫସି ରହିଛନ୍ତି। ଡିସେମ୍ବର ୧୩ ତାରିଖରୁ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ମେଘାଳୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଥିଲେ ମଧ୍ୟ ଉଚ୍ଚକ୍ଷମତା ସଂପନ୍ନ ପାଣି ପମ୍ପ ନଥିବା ହେତୁ ଜଳ ନିଷ୍କାସିତ ହୋଇ ପାରି ନ ଥିଲା। ଫଳରେ ୧୫ ଦିନ ଧରି ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା।
ଶନିବାର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛିି ଏନ୍ଡିଆର୍ଏଫ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏନ୍ଡିଆର୍ଏଫ୍ର ଏକ ଦଳ ସେଠାରେ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ପରେ ମାତ୍ର ୩ଟି ହେଲ୍ମେଟ୍ ମିଳିଛି ବୋଲି ଏନ୍ଡିଆର୍ଏଫ୍ର ସହକାରୀ କମାଣ୍ଡୋ ସନ୍ତୋଷ କୁମାର ସିଂ କହିଛନ୍ତି। ଇତିମଧ୍ୟରେ ଭାରତୀୟ ବାୟୁସେନା,କୋଲ୍ ଇଣ୍ଡିଆ ଏବଂ ଦେଶର ଅଗ୍ରଣୀ ପମ୍ପ ନିର୍ମାତା ଉଦ୍ଧାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ବାୟୁସେନା ଦୁଇଟି ହେଲିକପ୍ଟର ଯୋଗାଇ ଦେଇଛି। ଏଥିରେ ଓଡ଼ିଶାରୁ ଏନ୍ଡିଆର୍ଏଫ୍ର ଟିମ୍ ସେଠାକୁ ଯିବ ବୋଲି ଜଣାପଡ଼ିଛି।