ନୂଆଦିଲ୍ଲୀ: ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ବରୂପ ଭାରତ ଏହାର ‘ଗଗନୟାନ’ ପ୍ରକଳ୍ପକୁ ସଫଳ କରିବା ପାଇଁ ଜୋର୍ଦାର ପ୍ରସ୍ତୁତି ଚଳାଇଛି। ଏଥିପାଇଁ ଆଜି କେନ୍ଦ୍ର ସରକାର ୧୦,୦୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯୋଜନା ଅନୁସାରେ ଏହି ଗଗନୟାନ ପ୍ରକଳ୍ପରେ ୩ ଜଣ ଭାରତୀୟ ୭ ଦିନ ପାଇଁ ମହାକାଶ ଯାତ୍ରା କରିବେ। ଭାରତର ଏହି ଯୋଜନାକୁ ସଫଳ କରିବା ପାଇଁ ଫ୍ରାନ୍ସ ଓ ରୁଷ୍ ମଧ୍ୟ ସହଯୋଗ କରିବେ ବୋଲି ଜଣାପଡ଼ିଛି। କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଶୁକ୍ରବାର ଏ ନେଇ ସୂଚନା ଦେଇ କହିଛନ୍ତି, କେନ୍ଦ୍ର କ୍ୟାବିନେଟ୍ ଏହି ମହାକାଶ ଅଭିଯାନ ପାଇଁ ୧୦,୦୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମହାକାଶକୁ ମାନବ ପଠାଇବାରେ ଭାରତ ବିଶ୍ବର ଚତୁର୍ଥ ଦେଶ ହେବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତବର୍ଷ ସ୍ବାଧୀନତା ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ଗଗନୟାନ ପ୍ରକଳ୍ପ କଥା ଉଠାଇଥିଲେ। ଏହି ମିଶନ୍ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ସେ କହିଥିଲେ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ଏହି ମିଶନ୍କୁ ସଫଳ କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛି। ନିକଟରେ ଇସ୍ରୋ ଅଧ୍ୟକ୍ଷ କେ ଶିବନ୍ କହିଥିଲେ ଯେ ଗଗନୟାନ ପ୍ରକଳ୍ପ ପାଇଁ ଭାରତ ବିଭିନ୍ନ ଜ୍ଞାନକୌଶଳ ପ୍ରସ୍ତୁତ କରିସାରିଛି। ତେବେ ଅନ୍ତିମ ମିଶନ୍ ପୂର୍ବରୁ ପରୀକ୍ଷାମୂଳକ ଭାବେ ଦୁଇଟି ମାନବବିହୀନ ମିଶନ୍ ମହାକାଶକୁ ଛଡ଼ାଯିବ। ପ୍ରଥମଟି ୨୦୨୦ ଡିସେମ୍ବର ଏବଂ ଦ୍ବିତୀୟଟି ୨୦୨୧ ଜୁଲାଇରେ ଛଡ଼ାଯିବ। ଏହାପରେ ୨୦୨୧ ଡିସେମ୍ବରରେ ୩ ଜଣ ଭାରତୀୟଙ୍କୁ ମହାକାଶ ପଠାଯିବ। ଏହି ୩ ଜଣଙ୍କୁ ତାଲିମ ଦେବା ଲାଗି ଯୋଜନା କରାଯାଉଛି। ଜ୍ଞାନକୌଶଳ ବିକାଶ ବାବଦରେ ଏବେସୁଦ୍ଧା ୧୭୩ କୋଟି ଖର୍ଚ୍ଚ ହୋଇସାରିଛି।
ମହାକାଶରେ ୭ ଦିନ ରହିବେ ୩ ଭାରତୀୟ: ଗଗନୟାନ ପ୍ରକଳ୍ପକୁ ୧୦ହଜାର କୋଟି ମଞ୍ଜୁର
ରୁଷ୍, ଫ୍ରାନ୍ସ ସହଯୋଗ କରିବେ
/sambad/media/post_attachments/wp-content/uploads/2018/12/28live-gaganayaan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)