ୱାସିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକାର ଆରିଜୋନା ରାଜ୍ୟରେ ବରଫ ପାଲଟି ଯାଇଥିବା ଗୋଟାଏ ହ୍ରଦ ଉପରେ ଚାଲୁଥିବା ବେଳେ ବରଫ ଆସ୍ତରଣ ଭାଙ୍ଗି ଯିବାରୁ ପାଣିରେ ବୁଡ଼ିଯାଇ ଜଣେ ମହିଳାଙ୍କ ସମେତ ୩ ଜଣ ଭାରତୀୟ ନାଗରିକ ପ୍ରାଣ ହରାଇଛନ୍ତି।
ସଂଗୃହୀତ ସୂଚନା ଅନୁସାରେ, ଘଟଣାଟି ଡିସେମ୍ବର ୨୬ ତାରିଖ ଅପରାହ୍ଣ ୩.୩୫ରେ ଆରିଜୋନାର କକୋନିନୋ କାଉଣ୍ଟିସ୍ଥିତ ‘ଉଡ୍ସ୍ କେନିୟନ୍ ଲେକ୍’ରେ ଘଟିଥିଲା।
ଏ ସଂକ୍ରାନ୍ତରେ ମଙ୍ଗଳବାର ଦିନ ଜାରି କରିଥିବା ବିବୃତିରେ କକୋନିନୋ କାଉଣ୍ଟି ସେରିଫ୍ଙ୍କ ଅଫିସ୍ କହିଛି: ନିଖୋଜ ବ୍ୟକ୍ତିମାନଙ୍କୁ ମୃତାବସ୍ଥାରେ ଠାବ କରାଯାଇଛି। ସେମାନେ ହେଉଛନ୍ତି ୪୯ ବର୍ଷିୟ ନାରାୟଣ ମୁଦ୍ଦାନା ଏବଂ ୪୭ ବର୍ଷିୟ ଗୋକୁଳ ମେଦିସେତି। ମୃତା ମହିଳା ଜଣକ ହେଉଛନ୍ତି ହରିତା ମୁଦ୍ଦାନା ଏବଂ ତାଙ୍କ ବୟସ ଜଣାପଡ଼ି ନାହିଁ। ଭାରତର ମୂଳ ବାସିନ୍ଦା ଉକ୍ତ ୩ ବ୍ୟକ୍ତି ଆରିଜୋନାର ଚାଣ୍ଡ୍ଲର୍ରେ ବାସ କରୁଥିଲେ।
ଉଲ୍ଲେଖଯୋଗ୍ୟ, ଚାଣ୍ଡ୍ଲର୍ ହେଉଛି ଫିନିକ୍ସ୍ର ଉପନଗରୀ।
ସରକାରୀ ଅଧିକାରୀମାନେ କହିଛନ୍ତି, ବୁଡ଼ି ଯିବା କ୍ଷଣି ସେମାନେ ହରିତାଙ୍କୁ ପାଣିରୁ ଉଦ୍ଧାର କରି ଜୀବନ ରକ୍ଷାକାରୀ ପଦକ୍ଷେପ ଗ୍ରହଣ କରିଥିଲେ ବି ବିଫଳପ୍ରଯତ୍ନ ହୋଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଲା।
ଏହାପରେ, ଉଦ୍ଧାରକାରୀମାନେ ହ୍ରଦରେ ବୁଡ଼ି ଯାଇଥିବା ନାରାୟଣ ଓ ମେଦିସେତିଙ୍କ ଅନୁସନ୍ଧାନ କରିଥିଲେ। ମଙ୍ଗଳବାର ଅପରାହ୍ଣରେ ଦୁହିଁଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା କଥା ସେରିଫ୍ଙ୍କ କାର୍ଯ୍ୟାଳୟ କହିଛି।