ପ୍ରତି ୩ ଦିନରେ ଆତ୍ମହତ୍ୟା କରୁଛି ଜଣେ ଭାରତୀୟ ଯବାନ

ନୂଆଦିଲ୍ଲୀ: ଭାରତୀୟ ସେନା ବାହିନୀରେ କାର୍ଯ୍ୟରତ ଯବାନମାନଙ୍କ ମଧ୍ୟରୁ ପ୍ରତି ତିନି ଦିନରେ ଜଣେ ଯବାନ ଆତ୍ମହତ୍ୟା କରୁଥିବା ଜଣାପଡ଼ିଛି। ୨୦୧୪ ଜାନୁଆରି ୧ ତାରିଖରୁ ୨୦୧୭ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ପ୍ରତି ତିନି ଦିନରେ ଜଣେ ଯବାନ ଆତ୍ମହତ୍ୟା କରିଥିବା ସ୍ୱୀକାର କରିଛି ଦେଶର ପ୍ରତିରକ୍ଷା ମନ୍ତ୍ରାଳୟ।

ଏ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସରକାର ଏହି ସମସ୍ୟାକୁ ଗୁରୁତ୍ୱର ସହ ବିଚାର କରୁଛନ୍ତି। ସେନା କର୍ମଚାରୀଙ୍କ କର୍ମ ପରିସରକୁ ଚାପମୁକ୍ତ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି।

ଖାଲି ଏତିକି ନୁହେଁ; ଏହି ସମୟ ମଧ୍ୟରେ ଭାରତୀୟ ସେନାର ତିନି ବିଭାଗ ଯଥା: ନୌସେନା, ବାୟୁସେନା ଓ ସ୍ଥଳସେନା ମଧ୍ୟରୁ ସର୍ବାଧିକ ସ୍ଥଳସେନା ଯବାନ ଆତ୍ମହତ୍ୟା କରିଥିବା କହିଛି ପ୍ରତିରକ୍ଷା ମନ୍ତ୍ରାଳୟ। ଏହି ସମୟ କାଳ ମଧ୍ୟରେ ଆତ୍ମହତ୍ୟା କରିଥିବା ସର୍ବମୋଟ ୩୪୮ ଜଣ ଯବାନଙ୍କ ମଧ୍ୟରୁ କେବଳ ମାତ୍ର ସ୍ଥଳସେନାର ୨୭୬ ଜଣ ଯବାନ ଆତ୍ମହତ୍ୟା କରିଛନ୍ତି। ଯାହାର ହାର ୮୦ ପ୍ରତିଶତ ରହିଛି। ସେହିପରି ସବୁଠାରୁ କମ୍‌ ଆତ୍ମହତ୍ୟା ଘଟଣା ଘଟୁଛି ନୌସେନାରେ। ଏହି ସମୟ କାଳରେ ନୌସେନାର ମାତ୍ର ୧୨ ଜଣ ଯବାନ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

TOI

ପ୍ରତିରକ୍ଷା ବିଭାଗ ସୂତ୍ରରୁ ହସ୍ତଗତ ହୋଇଥିବା ତଥ୍ୟରୁ ଜଣାଯାଇଛି, ୨୦୧୪ ଜାନୁଆରି ୧ ତାରିଖରୁ ୨୦୧୭ ମାର୍ଚ୍ଚ ୩୧ ତାରିଖ; ୧,୧୮୫ ଦିନ ମଧ୍ୟରେ ଭାରତୀୟ ସେନାରେ କାର୍ଯ୍ୟରତ ୩୪୮ ଜଣ ଯବାନ ଆତ୍ମହତ୍ୟା କରିଛନ୍ତି। ଆତଙ୍କବାଦ ଅଧ୍ୟୁଷିତ ଜମ୍ମୁ-କଶ୍ମୀର ଓ ହିଂସା କବଳିତ ଦେଶର ଉତ୍ତର-ପୂର୍ବ ଅଞ୍ଚଳରେ ଦୀର୍ଘକାଳ ପାଇଁ ମୁତୟନ ହେଉଥିବା ଯବାନମାନେ ଅଧିକ ଆତ୍ମହତ୍ୟା ପ୍ରବଣ ହୋଇ ପଡ଼ୁଛନ୍ତି। ତେବେ, ଆତ୍ମହତ୍ୟା କରିଥିବା ସଂଖ୍ୟାଧିକ ଯବାନଙ୍କ ଆତ୍ମହତ୍ୟାର କାରଣ ପଛରେ ପାରିବାରିକ ଅଶାନ୍ତି ଓ ଜମିବାଡ଼ି ଗଣ୍ଡଗୋଳ ପ୍ରମୁଖ କାରଣ ରହିଛି ବୋଲି ଅନୁସନ୍ଧାନରୁ ଜଣାପଡ଼ିଥିବା କହିଛି ପ୍ରତିରକ୍ଷା ମନ୍ତ୍ରାଳୟ।

 

ସମ୍ବନ୍ଧିତ ଖବର