ଶ୍ରୀନଗର: ଜୁଭେନାଇଲ୍ ପର୍ଯ୍ୟବେକ୍ଷଣ ଗୃହରେ ପୁଲିସ କର୍ମୀଙ୍କୁ ଆକ୍ରମଣ କରି ୩ଜଣ କଏଦୀ ଖସି ପଳାଇଛନ୍ତି। ଡ୍ୟୁଟିରେ ଥିବା ଦୁଇଜଣ ପୁଲିସ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣା ସମଗ୍ର ଜମ୍ମୁ-କାଶ୍ମୀରର ଜମ୍ମୁ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା ବେଳେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ କରାଯାଇଛି।

Advertisment

ସୋମବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ପର୍ଯ୍ୟବେକ୍ଷଣ ଗୃହରେ ନିୟମିତ ଡ୍ୟୁଟି କରୁଥିବା ଦୁଇ ପୁଲିସ କର୍ମୀଙ୍କ ଉପରକୁ ଅଚାନକ ତିନି ଜଣ କଏଦୀ ଆକ୍ରମଣ କରିଥିଲେ। ଗୃହ ଭିତରେ କିଛି ସମୟ ଧରି ପୁଲିସ ଓ ତିନି କଏଦୀଙ୍କ ମଧ୍ୟରେ ଧସ୍ତାଧସ୍ତି ଚାଲିଥିଲା, ଏବଂ ତା’ପରେ ଜଣେ କଏଦୀ ପିସ୍ତଲ ବାହାର କରି ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପର୍ଯ୍ୟବେକ୍ଷଣ ଗୃହ ଭିତରେ ଲାଗିଥିବା ସିସିଟିଭି କ୍ୟାମେରାରେ ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଛି।

ଗୁଳି ଚଳାଇ ଘଟଣାସ୍ଥଳରୁ କଏଦୀ ଫେରାର

ଅଧିକପଢ଼ନ୍ତୁ:ତୈଳ ଚୋରା ଚାଲାଣକାରୀଙ୍କ ବିରୋଧରେ ଭାାରତର ବଡ଼ କାର୍ଯ୍ୟାନୁଷ୍ଠାନ

ଆକ୍ରମଣରେ ଆହତ ଦୁଇ ପୁଲିସ କର୍ମଚାରୀଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଉଭୟଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି। ପୁଲିସ ଏବେ ତିନି ଜଣ ଫେରାର କଏଦୀଙ୍କୁ ଚିହ୍ନଟ କରିଛି। ଜଣେ କଏଦୀ ସ୍ଥାନୀୟ ବାସିନ୍ଦା ହୋଇଥିବାବେଳେ ଅନ୍ୟ ଦୁଇଜଣ ପାକିସ୍ତାନୀ ନାଗରିକ ଥିଲେ। ପୁଲିସ ଅଧିକାରୀମାନେ କହିଛନ୍ତି ଯେ ଦୁଇ ପାକିସ୍ତାନୀ ଯୁବକ ଭୁଲବଶତଃ ଭାରତ ସୀମା ପାର କରିଥିଲେ। ବର୍ତ୍ତମାନ କୌଣସି ଆତଙ୍କବାଦୀ ସଂଗଠନ ସହିତ ସେମାନଙ୍କର ଲିଙ୍କ୍ ଥିବାର ପ୍ରମାଣ ମିଳିନାହିଁ। ଘଟଣା ପରେ, ସମଗ୍ର ଅଞ୍ଚଳରେ ନାକାବନ୍ଦୀ କରାଯାଇଛି। ସୀମାନ୍ତ ଅଞ୍ଚଳ, ବସ୍ ଷ୍ଟେସନ ଓ ମୁଖ୍ୟ ରାସ୍ତାରେ କଡ଼ା ଯାଞ୍ଚ କରାଯାଉଛି। ଫେରାର ଥିବା କଏଦୀମାନଙ୍କୁ ଖୋଜିବା ପାଇଁ ଭିନ୍ନଭିନ୍ନ ସ୍ଥାନରେ ପୁଲିସ ଚଢାଉ ଜାରି ରଖିଛି।

ସେପଟେ ପର୍ଯ୍ୟବେକ୍ଷଣ ଗୃହର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଏତେ କଡ଼ା ସୁରକ୍ଷା ସତ୍ତ୍ୱେ କଏଦୀମାନେ କିପରି ଅସ୍ତ୍ରଶସ୍ତ୍ର ପାଇଲେ ଏବଂ ସେମାନେ କିପରି ଖସି ପଳାଇଲେ? ପ୍ରଶାସନ ପୂରା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି।

ଅଧିକପଢ଼ନ୍ତୁ:୧୦ ରାଜ୍ୟକୁ ବର୍ଷା ସମ୍ଭାବନା, ଓଡ଼ିଶାରେ ଘନ କୁହୁଡ଼ି ନେଇ ସତର୍କତା ଜାରି