ଲକ୍ଷ୍ନୗ: ସପ୍ତାହକ ଭିତରେ ୩ ଆଇଏଏସ୍ ଅଧିକାରୀଙ୍କ ଭିଆରଏସ୍ ଆବେଦନ ! ଏହି ଘଟଣା ବର୍ତ୍ତମାନ ଉତ୍ତର ପ୍ରଦେଶରେ ଚର୍ଚ୍ଚା ସାଉଁଟୁଛି। ଉତ୍ତରପ୍ରଦେଶ କ୍ୟାଡର ଆଇଏଏସ୍ ଅଧିକାରୀ ରେଣୁକା କୁମାର ଭିଆର୍ଏସ୍ ପାଇଁ ଆବେଦନ କରିଛନ୍ତି । କୁହାଯାଉଛି ଯେ, ଗୋଟିଏ ସପ୍ତାହ ମଧ୍ୟରେ ଏପର୍ଯ୍ୟନ୍ତ ତିନିଜଣ ଆଇଏଏସ୍ ଅଧିକାରୀ ଆବେଦନ କରିଛନ୍ତି। ଆଇଏଏସ୍ ଅଧିକାରୀ ରେଣୁକା କୁମାର, ଯିଏକି କେନ୍ଦ୍ରୀୟ ଡେପୁଟେସନ୍ ଶେଷ କରି ୟୁପିରେ କାର୍ଯ୍ୟ କରିବା କଥା, ସେ ଆଗୁଆ ଅବସର ନେବା ପାଇଁ ଆବେଦନ କରିଛନ୍ତି ।
ସୂଚନା ମୁତାବକ, ଆଜି ଉତ୍ତରପ୍ରଦେଶ କ୍ୟାଡର ଆଇଏଏସ୍ ଅଧିକାରୀ ରେଣୁକା କୁମାର (୧୯୮୭ ବ୍ୟାଚ୍), ଯୁଥିକା ପାଟଣକର (୧୯୮୮ ବ୍ୟାଚ୍) ଏବଂ ବିକାଶ ଗୋଠଲୱାଲ (୨୦୦୩ ବ୍ୟାଚ୍) ଭିଆର୍ଏସ୍ ପାଇଁ ଆବେଦନ କରିଛନ୍ତି । ୧୯୯୦ ମସିହାରେ, ରେଣୁକା କୁମାର ଉତ୍ତରପ୍ରଦେଶ ଆଇଏଏସ୍ ଆସୋସିଏସନ୍ ବ୍ୟାନରରେ ତିନିଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ରୀତିମତ ଏକ ଅଭିଯାନ କରିଥିଲେ । ବର୍ତ୍ତମାନ ରେଣୁକା କୁମାର କେନ୍ଦ୍ରୀୟ ଡେପୁଟେସନରେ ଥିଲେ, ଗତ ମାସରେ ଉତ୍ତରପ୍ରଦେଶକୁ ଫେରି ଆସିଥିଲେ। ରେଣୁକା ଆସନ୍ତା ବର୍ଷ ଜୁନ୍ ୩୦ତାରିଖରେ ଅବସର ନେଇଥାନ୍ତେ।
ଏଥିସହିତ, ଦୀର୍ଘ ଦିନ ଧରି ଉତ୍ତରପ୍ରଦେଶ ରାଜ୍ୟପାଳଙ୍କ ମୁଖ୍ୟସଚିବ ଥିବା ପାଟଣକରଙ୍କ କାର୍ଯ୍ୟକାଳ ୩୧ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ଥିବା ବେଳେ ସେ ଭିଆଏସ୍ ଲାଗି ଆବେଦନ କରିଛନ୍ତି। ସେହିଭଳି ଏବେ ଅଧ୍ୟୟନ ଛୁଟିରେ ଥିବା ଗୋଠଲୱାଲ ବ୍ରିଟେନରେ ଅଛନ୍ତି ଓ ସେ ମଧ୍ୟ ଅବସର ପାଇଁ ଆବେଦନ କରିଛନ୍ତି । ଗୋଠଲୱାଲଙ୍କ ପତ୍ନୀ ଅମୃତା ସୋନି ମଧ୍ୟ ଉତ୍ତରପ୍ରଦେଶ କ୍ୟାଡରର ଜଣେ ଆଇଏଏସ୍ ଅଧିକାରୀ ଅଛନ୍ତି । ଏହି ଅଧିକାରୀମାନେ ଅବସର ପାଇଁ ମୁଖ୍ୟ ସଚିବ ତଥା ନିଯୁକ୍ତି ବିଭାଗର ଅନ୍ୟ ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ ପତ୍ର ପଠାଇଛନ୍ତି । ବର୍ତମାନ ସୁଦ୍ଧା ଅଧିକାରୀଙ୍କ ଭିଆର୍ଏସ୍ ଆବେଦନ କରିବାର କାରଣ ସ୍ପଷ୍ଟ ହୋଇନାହିଁ।