ପୁଲ୍‌ୱାମା ଏନ୍‌କାଉଣ୍ଟର : କମାଣ୍ଡର ସମେତ ୩ ଜେଇଏମ୍‌ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜମ୍ମୁ କାଶ୍ମୀର ପୁଲୱାମା ଜିଲ୍ଲା ଅଧୀନସ୍ଥ କଙ୍ଗନ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଜେଇଏମ୍‌ର ଜଣେ କମାଣ୍ଡର ସମେତ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଏହା ଦ୍ବିତୀୟ ଏନ୍‌କାଉଣ୍ଟର। ଜମ୍ମୁ କାଶ୍ମୀର ପୁଲିସ,‌ ସେନା, ଏବଂ ସିଆରପିଏଫ୍‌ର ଏହି ମିଳିତ ଅପରେସନ୍‌ରେ ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଜୈସ୍‌ର ଜଣେ କମାଣ୍ଡର ଅଛି। ନିକଟରେ ପୁଲ୍‌ୱାମାରେ କାର୍‌ ବୋମା ବିସ୍ଫୋରଣ ନେଇ ହୋଇଥିବା ବଡ଼ ଧରଣର ଚକ୍ରାନ୍ତରେ ଏହି କମାଣ୍ଡର୍‌ର ସମ୍ପୃକ୍ତି ଥିଲା। ବିସ୍ଫୋରକ ପ୍ରସ୍ତୁତ କରିବାରେ ଅଭିଜ୍ଞତା ଥିବା ଆଇଇଡି ଏକ୍ସପର୍ଟ‌୍ ଅବଦୁଲ ରେହମାନ୍‌ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହୋଇଛି। ଏହା ସୁରକ୍ଷାକର୍ମୀଙ୍କ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। କମାଣ୍ଡର ଅବଦୁଲ ରେହମାନ୍‌ ଜଣେ ପାକିସ୍ତାନୀ ନାଗରିକ। ମସୁଦ୍‌ ଆଝାରର ସେ ଜଣେ ଘନିଷ୍ଠ ସହଯୋଗୀ। ୨୦୧୭ରୁ ସେ ଦକ୍ଷିଣ କାଶ୍ମୀରରେ ସକ୍ରିୟ ଥିଲା ଏବଂ ୨୦୧୯ର ଆତ୍ମଘାତୀ ଆକ୍ରମଣରେ ମଧ୍ୟ ତାର ସମ୍ପୃକ୍ତି ଥିଲା। ଅନେକ ଦିନ ଧରି ତାକୁ ସୁରକ୍ଷାକର୍ମୀ ଖୋଜୁଥିବା ବେଳେ ଶେଷରେ ‌ସେ ଆଜି ନିପାତ ହୋଇଛି। ତେବେ ଅବଦୁଲ ରେହମା‌ନ୍‌ ସହ ନିପାତ ହୋଇଥିବା ଅନ୍ୟ ୨ ଆତଙ୍କବାଦୀ ସ୍ଥାନୀୟ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର