ବେଙ୍ଗାଲୁରୁ: ଜଣେ ଯୁବକଙ୍କ ଦ୍ୱାରା ଫେସ୍‌ବୁକ୍‌ରେ କରାଯାଇଥିବା ଏକ ଆପତ୍ତିଜନକ ପୋଷ୍ଟିଂକୁ କେନ୍ଦ୍ରକରି କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଗତ ରାତିରୁ ଆରମ୍ଭ ହୋଇଛି ଲଙ୍କାକାଣ୍ଡ। ଏହି ଘଟଣାକୁ କେନ୍ଦ୍ରକରି ମଙ୍ଗଳବାର ରାତିରେ ବେଙ୍ଗାଲୁରୁ ସହରରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଗୁଳି ଚାଳନା କରିବାରୁ ତିନି ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ହିଂସାକାଣ୍ଡରେ ସମ୍ପୃକ୍ତ ଅନ୍ୟ ୧୫୦ରୁ ଅଧିକ ବ୍ୟକ୍ତିଙ୍କୁ ପୁଲିସ୍‌ ଗିରଫ କରିଛି। ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ଦିୟୁରପ୍ପା ଆଜି ଆଦେଶ ଦେଇଛନ୍ତି।

Advertisment

publive-image

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ମଙ୍ଗଳବାର ରାତିରେ ବେଙ୍ଗାଲୁରୁରେ ଜନୈକ କଂଗ୍ରେସ ବିଧାୟକଙ୍କ ସମ୍ପର୍କୀୟଙ୍କ ଦ୍ୱାରା କରା ଯାଇଥିବା ଏକ ଆପତ୍ତିଜନକ ଫେସବୁକ ପୋଷ୍ଟିଂକୁ କେନ୍ଦ୍ର କରି ଏହି ହିଂସା ଓ ଦଙ୍ଗାର ସୂତ୍ରପାତ ହୋଇଥିଲା। ଦଙ୍ଗାକାରୀମାନେ ପୁଲିସ୍‌ ଉପରକୁ ଟେକା ପଥର ଫିଙ୍ଗିବା ଫଳରେ ୬୦ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି। ବିକ୍ଷୋଭକାରୀମାନେ ପ୍ରାୟ ୨୦୦ରୁ ଅଧିକ ଗାଡ଼ି ଓ ମୋଟର ସାଇକେଲରେ ନିଆଁ ଲଗାଇ ଦେଇଥିଲେ।

ବିକ୍ଷୋଭକାରୀଙ୍କୁ ଆୟତ୍ତ କରିବା ପାଇଁ ପୁଲିସ୍‌ ପ୍ରଥମେ ଲାଠିଚାର୍ଜ ଏବଂ ପରେ ଲୁହବୁହା ଗ୍ୟାସ ବ୍ୟବହାର କରିଥିଲା। କିନ୍ତୁ ଏଥିରେ ପରିସ୍ଥିତି ନିୟନ୍ତ୍ରଣକୁ ନ ଆସିବାରୁ ପୁଲିସ୍‌କୁ ଗୁଳିଚାଳନା କରିବାକୁ ପଡ଼ିଥିଲା। ପୁଲିସ୍‌ ଗୁଳିରେ ୩ ଜଣ ବିକ୍ଷୋଭକାରୀ ନିହତ ହୋଇଥିଲେ। ବେଙ୍ଗାଲୁରୁର ପୂର୍ବ ଭାଗରେ ଥିବା ଡିଜି ହାଲି ଏବଂ କେଜି ହାଲି ଅଞ୍ଚଳରେ ଏହି ଘଟଣା ଘଟିଛି।

ବିକ୍ଷୋଭକାରୀଙ୍କ ଆକ୍ରମଣରେ ଗୋଟିଏ ପୁଲିସ୍‌ ଥାନାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ସଂପୃକ୍ତ ଥାନାରେ ଥିବା ଶତିଧିକ ମୋଟର ସାଇକେଲରେ ବିକ୍ଷୋଭକାରୀମାନେ ନିଆଁ ଲଗାଇ ଦେଇଥିଲେ।

ଡିଜି ହାଲି ଏବଂ କେଜି ହାଲି ଅଞ୍ଚଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ସଂପୃକ୍ତ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିବାବେଳେ ବେଙ୍ଗାଲୁରୁର ଅନ୍ୟ ସ୍ଥାନମାନଙ୍କରେ ୧୧୪ଧାରା ଜାରି କରାଯାଇଛି। ହିଂସାକାଣ୍ଡରେ ଜଣେ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି।

publive-image

ଆଜି ସକାଳେ ଟ୍‌ୱିଟ୍‌ କରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦ୍ଦିୟୁରପ୍ପା ଏହି ଆକ୍ରମଣକୁ ନିନ୍ଦା କରିବା ସହ ହିଂସା ସହ ଜଡିତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। କଂଗ୍ରେସ ବିଧାୟକ ଗତକାଲି ବିଳମ୍ବିତ ରାତିରେ ଏକ ଭିଡିଓ ଜାରି କରି ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି। କର୍ଣ୍ଣାଟକ ଗୃହମନ୍ତ୍ରୀ ବାସଭାରାଜ ବମ୍ମାଇ ମଧ୍ୟ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ ଲୋକମାନେ ଆଇନକୁ ନିଜ ହାତକୁ ନ ନେବା ଉଚିତ। ଅଗ୍ନିକାଣ୍ଡ ଓ ଲୁଟ୍‌ ଘଟଣାକୁ ସେ ନିନ୍ଦା କରିବା ସହ ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳକୁ ଅତିରିକ୍ତ ପୁଲିସ ଫୋର୍ସ ପଠାଯାଇଥିବା କହିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସକୁ ସ୍ୱାଧୀନତା ଦିଆଯାଇଥିବା ସେ ସ୍ୱୀକାର କରିଛନ୍ତି।

ଫେସ୍‌ବୁକ୍‌ରେ ଘୃଣା ଉଦ୍ରେକକାରୀ ପୋଷ୍ଟ୍‌ କରିଥିବା ସମ୍ପୃକ୍ତ ଯୁବକଜଣକ ପୁଲକେଶୀ ନଗର କଂଗ୍ରେସ ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତିଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି। ଏଥିଯୋଗୁଁ ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟମାନେ ଡିଜେ ହାଲି ଓ କେଜି ହାଲି ଥାନା ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଧାୟକଙ୍କ ବାସଭବନ ଉପରେ ଟେକାପଥର ଫିଙ୍ଗିଥିଲେ। ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। କିନ୍ତୁ, ଯୁବକଜଣକ କହିଛନ୍ତି ଯେ, ସେ ଏହାକୁ ପୋଷ୍ଟ୍‌ କରି ନାହାନ୍ତି। ତାଙ୍କର ଫେସ୍‌ବୁକ୍‌ ଆକାଉଣ୍ଟ୍‌ ହ୍ୟାକ୍‌ କରାଯାଇ ଏଭଳି କରାଯାଇଛି।