ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀଙ୍କ ସ୍ବାମୀ ଓ ଅନ୍ୟ ଦୁଇଜଣ ଆଜି ଭାରତ ଛାଡ଼ିଛନ୍ତି। ବୁଧବାର ସକାଳେ, ତିରୁଚିରାପଲ୍ଲୀ ସ୍ବତନ୍ତ୍ର ରେଫ୍ୟୁଜି କ୍ୟାମ୍ପ୍‌ରୁ ନିଳିନୀଙ୍କ ସ୍ବାମୀ ମୁରୁଗାନ୍‌, ରର୍ବଟ ପାୟାସ ଓ ଜୟକୁମାରଙ୍କୁ ପୁଲିସ ସୁରକ୍ଷାରେ ଚେନ୍ନାଇ ଆନ୍ତର୍ଜାତିକ ବିମାନବନ୍ଦରୁ ନିଆଯାଇଥିଲା। ସେଠାରୁ ସେମାନେ ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରିଥିଲେ। ବିମାନବନ୍ଦ‌ର ଠାରେ ନଳିନୀ ନିଜ ସ୍ବାମୀ ମୁରୁଗାନ୍‌ଙ୍କୁ ଭେଟି କିଛି ସମୟ ଆଲୋଚନା କରିଥିଲେ।

Advertisment

୧୯୯୧ ମଇ ୨୧ ତାରିଖରେ, ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ତାମିଲ ଟାଇଗର (ଏଲ୍‌ଟିଟିଇ)ର ସଦସ୍ୟମାନେ ଆତ୍ମଘାତୀ ବୋମା ବିସ୍ଫୋରଣ କରି ରାଜୀବ ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ଏହି ମାମ‌ଲାରେ ନଳିନୀଙ୍କ ସମେତ ଅନ୍ୟ ୭ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତେବେ ୨୦୦୪ରେ ରାଜୀବ ଗାନ୍ଧୀଙ୍କ ପତ୍ନୀ ସୋନିଆ ଗାନ୍ଧୀଙ୍କ ପ୍ରଚେଷ୍ଟାରେ ନିଳିନୀଙ୍କୁ ମୃତ୍ୟୁଦଣ୍ଡରୁ କ୍ଷମା ଦିଆଯାଇଥିଲା। ବର୍ତ୍ତମାନ ନଳିନୀଙ୍କ ଝିଅ ଲଣ୍ଡନରେ ଜଣେ ପେଷାଦାର ଡାକ୍ତର ଭାବେ କାମ କରୁଛନ୍ତି। ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ନିକଟରେ ଦୀର୍ଘ ବର୍ଷ ପଡ଼ିରହିଥିବାରୁ ସୁପ୍ରିମକୋର୍ଟ ନଳିନୀଙ୍କ ସମେତ ଅନ୍ୟ ୬ ଦୋଷୀଙ୍କ ମୃତ୍ୟୁଦଣ୍ଡକୁ ଖାରଜ କରି ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ କରିଥିଲେ। ପରବର୍ତ୍ତୀ ସମୟରେ, ଜେଲ୍‌ରେ ସେମାନଙ୍କ ଉତ୍ତମ ଆଚରଣ ଯୋଗୁଁ ସମସ୍ତ ୭ ଦୋଷୀଙ୍କୁ ମୁକ୍ତ କରାଯାଇଥିଲା। ମଇ ୨୦୨୨ରେ ପ୍ରଥମ ଦୋଷୀ ତଥା ଭାରତୀୟ ନାଗରିକ ପେରାରିଭଲନଙ୍କୁ ମୁକ୍ତ କରାଯାଇଥିଲା। ୧୨ ନଭେମ୍ବର ୨୦୨୨ରେ ନିଳିନୀ, ମୁରୁଗାନ୍‌, ସନାତନ, ରର୍ବଟ, ଜୟକୁମାର ଜେଲ୍‌ରୁ ମୁକୁଳିଥିଲେ। ସୂଚନାଯୋଗ୍ୟ, ନଳିନୀ ଜଣେ ଭାରତୀୟ ନାଗରିକ ହୋଇଥିବା ବେଳେ ତାଙ୍କ ସ୍ବାମୀ ମୁରୁଗାନ୍‌, ରର୍ବଟ୍‌ ଓ ଜୟକୁମାର ଶ୍ରୀଲଙ୍କାର ନାଗରିକ ଅଟନ୍ତି।