ନୂଆଦିଲ୍ଲୀ : ‌ଦେଶରେ ଦେଖାଦେଉଥିବା ପିଆଜ ଅଭାବ ଦୂର କରିବା ଲାଗି କେନ୍ଦ୍ର ସରକାର ଏକ ବଡ଼ ଯୋଜନା ଉପରେ କାମ କରୁଛନ୍ତି। ଭଣ୍ଡାରରେ ରଖାଯାଉଥିବା ପିଆଜ ପରିମାଣକୁ ବୃଦ୍ଧି କରାଯାଇଛି। ଆର୍ଥିକ ବର୍ଷ ୨୦୨୨-୨୩ରେ କେନ୍ଦ୍ରୀୟ ଭଣ୍ଡାର ପାଇଁ ୨.୫୧ଲକ୍ଷ ଟନ୍ ପିଆଜ କିଣାଯାଇଥିଲା। ଚଳିତ ଆର୍ଥିକ ବର୍ଷରେ ତାହାକୁ ତିନି ଲକ୍ଷ ଟନ୍‌ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପିଆଜ ନଷ୍ଟ ନହୋଇ ଯେଭଳି ଅଧିକ ଦିନ ରହିପାରିବ, ସେଥିପାଇଁ ଭାବା ଆଣବିକ ଗବେଷଣା କେନ୍ଦ୍ର ସହ ମିଶି ସରକାର କାର୍ଯ୍ୟ କରୁଛନ୍ତି।

Advertisment

ଉପଭୋକ୍ତା ବ୍ୟାପାର ସଚିବ ରୋହିତ କୁମାର ସିଂହ କହିଛନ୍ତି ଯେ ମୂଲ୍ୟ ସ୍ଥିରତା ପାଣ୍ଠି ଅଧୀନରେ ପିଆଜର ଭଣ୍ଡାର ସୃଷ୍ଟି କରାଯାଇଛି। ଉତ୍ସବ ଋତୁ ଓ ଅଭାବ ଭଳି ଜରୁରୀକାଳୀନ ସମୟରେ ସେହି ଭଣ୍ଡାରରୁ ପିଆଜ ବାହାର କରି ସୁଲଭ ମୂଲ୍ୟରେ ବିକ୍ରି କରାଯାଉଛି। ରବି ଋତୁରେ ଅମଳ ହୋଇଥିବା ପିଆଜ ସରକାର କିଣିଚନ୍ତି। ଏବେ ଖରିଫ ଋତୁରେ ପିଆଜ ଚାଷ ଆରମ୍ଭ ହୋଇଛି ଓ ସେହି ଫସଲ ଅକ୍ଟୋବର ବେଳକୁ ଅମଳ ହେବ ବୋଲି ସେ କହିଛନ୍ତି।

publive-image India TV

ପିଆଜ ମୂଲ୍ୟରେ କୌଣସି ପ୍ରକାର ବୃଦ୍ଧି ହେଲେ ତାହା ୨୦ ଦିନ ପର୍ଯ୍ୟନ୍ତ କିମ୍ବା ନୂଆ ଫସଲ ଆସିବା ପର୍ଯ୍ୟନ୍ତ ଲାଗିରହିଥାଏ। ଚଳିତ ବର୍ଷ କିନ୍ତୁ ସେଭଳି କୌଣସି ସମସ୍ୟା ଦେଖାଦେବନି ବୋଲି ଶ୍ରୀ ସିଂହ କହିଛନ୍ତି। ପିଆଜକୁ ଅଧିକ ଦିନ ରଖିବା ଲାଗି ଆଣବିକ ଶକ୍ତି ବିଭାଗ ଓ ଭାବା ଆଣବିକ ଗବେଷଣା କେନ୍ଦ୍ର ସହ ମିଶି ଉପଭୋକ୍ତା ମନ୍ତ୍ରାଳୟ ଏକ ପ୍ରଯୁକ୍ତି ଉପରେ କାର୍ଯ୍ୟ କରୁଛି। ବର୍ତ୍ତମାନ ତାହାର ପରୀକ୍ଷଣ ଜାରି ରହିଛି। ମହାରାଷ୍ଟ୍ରର ଲାସାଲଗାଓଁ‌ରେ ଗାମା ବିକିରଣକୁ ବ୍ୟବହାର କରି ୧୫୦ ଟନ୍‌ ପିଆଜ ଉପରେ ତାହା ପରୀକ୍ଷଣ ଜାରି ରହିଛି।

ଦେଶରେ ୬୫ ପ୍ରତିଶତ ପିଆଜ ରବି ଋତୁରେ ଅମଳ ହେଉଥିବା ବେଳେ ବଳକା ପିଆଜ ଖରିଫ ଋତୁରେ ଚାଷ କରାଯାଉଛି। ଏପ୍ରିଲ-ଜୁନ୍‌ରେ ରବି ଋତୁର ଓ ଅକ୍ଟୋବର-ନଭେମ୍ବରରେ ଖରିଫ ଋତୁ ପିଆଜ ଅମଳ ହୋଇଥାଏ। ସରକାରୀ ତଥ୍ୟ ଅନୁସାରେ ଜୁଲାଇ ୧୫ରେ ପିଆଜ କିଲୋର ହାରାହାରି ଦାମ୍ ୨୬ ଟଙ୍କା ୭୯ ପଇସା ଥିଲା।