ନୂଆଦିଲ୍ଳୀ: ବିରୋଧୀ ରାଜନୈତିକ ଦଳ ଓ ନେତାଙ୍କ ବିରୋଧରେ କେନ୍ଦ୍ରୀୟ ସଂସ୍ଥା ବିଶେଷତଃ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲା ରୁଜୁ କରୁଛି। ଝାଡ଼ଖଣ୍ଡ ପୂର୍ବ ମୁଖ୍ୟମନ୍ତ୍ରୀ, ବିଆର୍ଏସ୍ ନେତ୍ରୀ, ଆମ୍ ଆଦମୀ ପାର୍ଟିର ଏକାଧିକ ନେତାଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମନିଲଣ୍ଡରିଂ ମାମଲାରେ ଗିରଫ କରାଯାଇଛି। ଏଭଳି ଗିରଫକୁ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ବିରୋଧୀ ଦଳ ଅଭିଯୋଗ କରୁଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କ ସମସ୍ତ ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ଇଂଲିଶ୍ ଦୈନିକ ‘ହିନ୍ଦୁସ୍ତାନ ଟାଇମ୍ସ’କୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନିର୍ଦ୍ଦେଶାଳୟ ପକ୍ଷରୁ ଯେତିକି ମାମଲା ରୁଜୁ ହୋଇଛି ସେ ମଧ୍ୟରୁ କେବଳ ୩ ପ୍ରତିଶତ ମାମଲାରେ ରାଜନୈତିକ ନେତା ସମ୍ପୃକ୍ତ।
ଆଜିର ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେଉଁମାନେ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥାରୁ ଲାଭାନ୍ବିତ ହେଉଥିଲେ, ସେମାନେ ହିଁ ଲୋକଙ୍କ ସମ୍ମୁଖରେ ଏଭଳି ଭୁଲ ତଥ୍ୟ ଉପସ୍ଥାପିତ କରୁଛନ୍ତି। ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରୁଜୁ କରାଯାଇଥିବା ମୋଟ ମାମଲାରୁ କେବଳ ୩ ପ୍ରତିଶତ ମାମଲାରେ ରାଜନେତା ସମ୍ପୃକ୍ତ । ଅବଶିଷ୍ଟ ୯୭ ପ୍ରତିଶତ ମାମଲାରେ ସରକାରୀ ଅଧିକାରୀ ଓ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇଛି। ଆଗାମୀ ଦିନରେ ଦୁର୍ନୀତିଗ୍ରସ୍ତ ନେତା, ଅଧିକାରୀ ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ ଅନୁରୂପ ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଦୁର୍ନୀତିର ମୂଳୋତ୍ପାଟନ ତାଙ୍କ ସରକାରଙ୍କ ପ୍ରାଥମିକତା ରହିଆସିଛି। ୨୦୧୪ରେ ସରକାର ଗଠନ ହେବାର ପରବର୍ତ୍ତୀ କ୍ଷଣ ହିଁ ବିଭିନ୍ନ ସ୍ତରରେ ଥିବା ଦୁର୍ନୀତିକୁ ହଟାଇବାକୁ ତାଙ୍କ ସରକାର ପଦକ୍ଷେପ ନେଇଥିଲା ଏବଂ ଏହା ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ ହେଉଛି।