କଂଗ୍ରେସ ସଭାପତି ପଦ ପାଇଁ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ିଥିବା ୩ ନେତା

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ନିର୍ବାଚନରେ ଗାନ୍ଧି ପରିବାରରୁ କେହି ଲଢ଼ିବେନି ବୋଲି ସ୍ପଷ୍ଟ ହୋଇସାରିଛି। ଦୀର୍ଘ ୨୫ ବର୍ଷ ପରେ ପ୍ରଥମ ଥର ପାଇଁ ଦଳ ଜଣେ ଅଣଗାନ୍ଧିଙ୍କୁ ମୁଖ୍ୟ ଘୋଷଣା କରିବ। ଶେଷ ଥର ପାଇଁ ୧୯୯୭ରେ ଦଳରେ ଜଣେ ଅଣଗାନ୍ଧି ସଭାପତି ଥିଲେ। ୧୯୯୭ରେ ସୀତାରାମ କେଶରୀ ଶରଦ ପାୱାର ଏବଂ ରାଜେଶ ପାଇଲଟଙ୍କୁ ହରାଇ କଂଗ୍ରେସ ସଭାପତି ହୋଇଥିଲେ। ସୋନିଆ ଗାନ୍ଧି ୧୯୯୮ରୁ ଦଳର ଦାୟିତ୍ବ ନେଇଥିଲେ। ତେବେ ୨୦୧୭ରୁ ୨୦୧୯ ମଧ୍ୟରେ ରାହୁଲ କଂଗ୍ରେସ ସଭାପତି ଥିଲେ। କିନ୍ତୁ ସୋନିଆ ଦଳର ସବୁଠାରୁ ଦୀର୍ଘକାଳୀନ ସଭାପତି। ୧୯୪୭ରେ ଦଳ ଆରମ୍ଭ ହେବାଠାରୁ ୧୬ ଜଣ ଦଳର ନେତୃତ୍ବ ନେଇଛନ୍ତି। ‌ସେମାନଙ୍କ ମଧ୍ୟରୁ ୫ ଜଣ ଗାନ୍ଧି ପରିବାରର। ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ ହେବ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିର୍ବାଚନ ଦୌଡ଼ରେ ଅଛନ୍ତି। କଂଗ୍ରେସ ସଭାପତି ନିର୍ବାଚିତ ହେଲେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଦେବେ। ପୂର୍ବରୁ ମଧ୍ୟ ୩ ଜଣ ନେତା କଂଗ୍ରେସ ସଭାପତି ହେବାପାଇଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ।

୧୯୬୮‌ରେ ତତ୍କାଳୀନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏସ୍‌ ନିଜଲିଙ୍ଗପ୍ପା କଂଗ୍ରେସ ସଭାପତି ହେବାପାଇଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ। ନିଜଲିଙ୍ଗପ୍ପା ତାଙ୍କର ଏହି ନିଷ୍ପତ୍ତି ପାଇଁ ଶେଷ ପର୍ଯ୍ୟନ୍ତ ପଶ୍ଚାତାପ କରିଥିଲେ। ନିଜଲିଙ୍ଗପ୍ପା ତାଙ୍କ ପୁସ୍ତକ ‘ମାଇଁ ଲାଇଫ୍‌ ଆଣ୍ଡ ପଲିଟିକ୍ସ’ରେ କହିଛନ୍ତି, ଅନେକ କାରଣ ପାଇଁ ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ନିଷ୍ପତ୍ତି ପାଇଁ ଅନୁତାପ କରୁଛି। ମତେ ମିଳିଥିବା ନୂଆ ଦାୟିତ୍ବକୁ ଗ୍ରହଣ ନକରି ଯଦି ମୁଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରହିଥାନ୍ତି ତେବେ ଠିକ୍‌ ହୋଇଥାନ୍ତା। କିନ୍ତୁ ନିଜଲିଙ୍ଗପ୍ପାଙ୍କୁ ତାଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ଅନୁମତି ମିଳିଥିଲା।

୧୯୫୪ ନଭେମ୍ବରରେ ସୌରାଷ୍ଟ୍ର ମୁଖ୍ୟମନ୍ତ୍ରୀ ୟୁଏନ୍‌ ଦେବରଙ୍କୁ ଜବାହରଲାଲ୍‌ ନେହରୁ ଦିଲ୍ଲୀ ନେଇ ଆସିଥିଲେ। ୧୯୫୫-୫୯ ପର୍ଯ୍ୟନ୍ତ ସେ କଂଗ୍ରେସ ସଭାପତି ଥିଲେ। କଂଗ୍ରେସ ସଭାପତି ପଦ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା। ଅନ୍ୟପକ୍ଷେ କେ କାମରାଜ ୧୯୬୩ ଅକ୍ଟୋବରରେ ସ୍ବେଚ୍ଛାକୃତ ଭାବେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି କଂଗ୍ରେସ ସଭାପତି ହୋଇଥିଲେ। ୧୯୬୪-୧୯୬୭ ପର୍ଯ୍ୟନ୍ତ ସେ କଂଗ୍ରେସ ସଭାପତି ଥିଲେ। ତେବେ କେବଳ ଜଣେ କଂଗ୍ରେସ ସଭାପତି ନୀଲମ ସଂଜୀବ ରେଡ୍ଡି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଥାଇ ବି କଂଗ୍ରେସ ସଭାପତି ହୋଇଥିଲେ।

ସମ୍ବନ୍ଧିତ ଖବର