ମହୀଶୂର/ନାସିକ: ଗୁରୁବାର ଦିନ କର୍ଣ୍ଣାଟକର ମହୀଶୂର ଜିଲ୍ଲା ଅନ୍ତର୍ଗତ ଗୋଟାଏ ବିଲରୁ ଉଦ୍ଧାର କରାଯାଇଥିବା ୩ଟି କଲରାପତ୍ରିଆ ଛୁଆଙ୍କୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା କଥା ନିଉଜ୍ ଏଜେନ୍ସି ‘ଏଏନ୍ଆଇ’ ରିପୋର୍ଟ କରିଛି।
ଏହି ଘଟଣାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଭାଇରାଲ୍ ହୋଇଛି। ସେଥିରେ ଦେଖାଯାଉଛି, ୩ଜଣ ଗ୍ରାମବାସୀ ୩ଟି କଲରାପତ୍ରିଆ ଛୁଆ ଧରି ଖେଳୁଛନ୍ତି। ଛୁଆମାନଙ୍କ ମଧ୍ୟରୁ ଗୋଟିକର ରଙ୍ଗ କଳା। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କ୍ୟାମେରା ସମ୍ମୁଖରେ ସ୍ଥାନୀୟ ଭାଷାରେ କିଛି କହୁଛନ୍ତି।
ସେହିପରି, ମହାରାଷ୍ଟ୍ରର ନାସିକ ସହରରୁ ବନ ବିଭାଗ ଉଦ୍ଧାର କରିଥିବା ଗୋଟାଏ ମାଈ କଲରାପତ୍ରିଆ ଗୁରୁବାର ଦିନ ୪ଟି ଛୁଆ ଜନ୍ମ କରିଛି। ମାଆ ଓ ଛୁଆମାନେ ସୁସ୍ଥ ଅଛନ୍ତି।
ନାସିକ ‘ଆର୍ଏଫ୍ଓ’ ବୃଷାଳୀ ଘଡ଼େ କହିଛନ୍ତି, ନାସିକ ଅନ୍ତର୍ଗତ ସିନ୍ଧେ ଗ୍ରାମରୁ ବନ ବିଭାଗଦ୍ବାରା ଗୋଟାଏ ମାଈ କଲରାପତ୍ରିଆ ଉଦ୍ଧାର କରାଯାଇଥିଲା। ସେ ୪ଟି ଶାବକ ଜନ୍ମ କରିଛି। ଡାକ୍ତରୀ ଦଳ ମାଈ କଲରାପତ୍ରିଆ ଉପରେ ନଜର ରଖିଛନ୍ତି। ସେମାନଙ୍କ ସହିତ ଆଲୋଚନା ପରେ ଆମେ ସେ କଲରାପତ୍ରିଆକୁ ବଣରେ ଛାଡ଼ିଦେବୁ। ମାଆ ଓ ଛୁଆମାନଙ୍କର ସ୍ବାସ୍ଥ୍ୟ ଭଲ ଅଛି।